ଆଜି ଜମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ, ୩୦ ହଜାର ୫୦୦କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର କରିବେ ଉଦଘାଟନ
PM Modi To Visit Jammu Today: ଆଜି ଜମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୩୦ ହଜାର ୫୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ନେଇ ସୂଚନା ରହିଛି । ଏହି ପରିଯୋଜନାରେ ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ବିମାନ ଚଳାଚଳ, ପେଟ୍ରୋଲିୟମ ଭଳି କ୍ଷେତ୍ର ସାମିଲ ରହିଛି ।

ଆଜି ଦିନ ୧୧.୩୦ରେ ଜମ୍ମୁର ମୌଲାନା ଆଜାଦ ଷ୍ଟାଡିଅମରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଆଇଆଇଟି ଜମ୍ମୁ, ଆଇଆଇଟି ଭିଲାଇ, ଆଇଆଇଟି ତିରୁପତି, ଆଇଆଇଏମ ଜମ୍ମୁ, ଆଇଆଇଏମ ବୋଧଗୟା ଏବଂ ଆଇଆଇଏମ୍ ବିଶାଖାପାଟଣା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।
ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡ଼କ, ବିମାନ ଚଳାଚଳ, ପେଟ୍ରୋଲିୟମ, ନାଗରିକ ଭିତ୍ତିଭୂମି ସମେତ ଅନେକ କ୍ଷେତ୍ର ସହିତ ଏହି ପ୍ରକଳ୍ପ ଗୁଡିକ ଜଡିତ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରର ପ୍ରାୟ ୧୫୦୦ ନୂତନ ସରକାରୀ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଆଦେଶ ବଣ୍ଟନ କରିବେ । ପ୍ରଧାନମନ୍ତ୍ରୀ 'ବିକଶିତ ଭାରତ ବିକଶିତ ଜାମ୍ମୁ' କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବେ ।
ସମଗ୍ର ଦେଶରେ ଶିକ୍ଷା ଏବଂ ଦକ୍ଷତା ଭିତ୍ତିଭୂମିର ଉନ୍ନତିକରଣ ଏବଂ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ପ୍ରାୟ ୧୩,୩୭୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଶିଳାନ୍ୟାସ କରିବେ । ଦେଶ ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଆଇଆଇଟି ଭିଲାଇ, ଆଇଆଇଟି ତିରୁପତି, ଆଇଆଇଟି ଜାମ୍ମୁ, ଆଇଆଇଆଇଟିଡିଏମ୍ କାଞ୍ଚିପୁରମ୍, କାନପୁରରେ ଅବସ୍ଥିତ ଭାରତୀୟ ଦକ୍ଷତା ପ୍ରତିଷ୍ଠାନ (ଆଇଆଇଏସ୍) - ଉନ୍ନତ ଜ୍ଞାନକୌଶଳ ଉପରେ ଏକ ଅଗ୍ରଣୀ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ୍; ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଦୁଇଟି କ୍ୟାମ୍ପସ - ଦେବପ୍ରୟାଗ (ଉତ୍ତରାଖଣ୍ଡ) ଏବଂ ଅଗରତାଲା (ତ୍ରିପୁରା) ଅନ୍ତର୍ଭୁକ୍ତ ।
ପ୍ରଧାନମନ୍ତ୍ରୀ ଦେଶର ତିନୋଟି ନୂତନ ଆଇଆଇଏମ୍ ଯଥା ଆଇଆଇଏମ୍ ଜାମ୍ମୁ, ଆଇଆଇଏମ୍ ବୋଧଗୟା ଏବଂ ଆଇଆଇଏମ୍ ବିଶାଖାପାଟଣାକୁ ଉଦଘାଟନ କରିବେ । ସେ ସମଗ୍ର ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ (କେଭି) ପାଇଁ ୨୦ଟି ନୂତନ କୋଠା ଏବଂ ୧୩ଟି ନୂତନ ନବୋଦୟ ବିଦ୍ୟାଳୟ (ଏନ୍ଭି) କୋଠାର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଦେଶର ୫ଟି କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସ, ଗୋଟିଏ ନବୋଦୟ ବିଦ୍ୟାଳୟ କ୍ୟାମ୍ପସ ଏବଂ ନବୋଦୟ ବିଦ୍ୟାଳୟ ପାଇଁ ୫ଟି ବହୁମୁଖୀ ହଲ୍ର ଶିଳାନ୍ୟାସ କରିବେ । ଏହି ନବନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟ କୋଠା ଗୁଡ଼ିକ ସମଗ୍ର ଦେଶରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଗତ ଆବଶ୍ୟକତା ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।












Click it and Unblock the Notifications