ପଞ୍ଜାବରେ ବନ୍ୟାର ତାଣ୍ଡବ, ଆସନ୍ତା ୯ରେ ସ୍ଥିତି ପରଖିବାକୁ ଯିବେ ପ୍ରଧାନମନ୍ତ୍ରୀ,ଘୋଷଣା କରିପାରନ୍ତି.....
ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ଭାରତର ଅନେକ ରାଜ୍ୟରେ ବହୁତ ଖରାପ ପରିସ୍ଥିତି ଦେଖାଯାଇଛି। ଦେଶର ଅନେକ ସହରରେ ଜଳବନ୍ଦୀ, ରାସ୍ତାଘାଟରେ ପାଣି ଭର୍ତ୍ତି ହୋଇଯାଇଛି, ଯାହା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି।ଏହି ସମୟରେ ପଞ୍ଜାବ ବନ୍ୟା ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ପଞ୍ଜାବ, ହରିୟାଣା ଏବଂ ଜମ୍ମୁ କଶ୍ମୀରରେ ବନ୍ୟା ଯୋଗୁଁ ପରିସ୍ଥିତି ବହୁତ ଖରାପ। ପଞ୍ଜାବର ଅନେକ ଜିଲ୍ଲା ବର୍ତ୍ତମାନ ବନ୍ୟା କବଳରେ ଅଛି। ରାଜ୍ୟ ସରକାର ସମଗ୍ର ରାଜ୍ୟକୁ ବିପର୍ଯ୍ୟୟ ରାଜ୍ୟ ଘୋଷଣା କରିଛନ୍ତି। ଏପର୍ଯ୍ୟନ୍ତ ପଞ୍ଜାବରେ୫୦ରୁ ଅଧିକ ଲୋକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପଞ୍ଜାବ ସ୍ଥିତି ଜଟିଳ ଥିବାରୁ ସ୍ଥିତି ପରଖିବାକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୯ ତାରିଖରେ ମୋଦି ପଞ୍ଜାବ ଗସ୍ତ କରି ବନ୍ୟା ପୀଡ଼ିତ ସାଧାରଣ ଲୋକ ଓ ଚାଷୀମାନଙ୍କୁ ଭେଟିବେ। ସେହିପରି ରିଲିଫ ଓ ଥଇଥାନର ସ୍ଥିତି ଯାଞ୍ଚ କରିବେ। ଗସ୍ତ ବେଳେ ସେ ବନ୍ୟାରେ ବୁଡ଼ିଥିବା ଗାଁ ଓ ନଷ୍ଟ ହୋଇଯାଇଥିବା ଫସଲ ସ୍ଥିତର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

ବିଜେପିର ପଞ୍ଜାବ ୟୁନିଟ ପକ୍ଷରୁ ଏକ୍ସରେ କୁହାଯାଇଛି ଯେ "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ସେପ୍ଟେମ୍ବରରେ ପଞ୍ଜାବର ଗୁରୁଦାସପୁର ଆସୁଛନ୍ତି। ସେ ସିଧାସଳଖ ବନ୍ୟା କ୍ଷତିଗ୍ରସ୍ତ ଭାଇ-ଭଉଣୀ ଓ ଚାଷୀଙ୍କୁ ଭେଟିବେ। ଏଥିସହ ସେ ପୀଡ଼ିତଙ୍କୁ ସହଯୋଗ କରିବା ପାଇଁ ସବୁ ପ୍ରକାରର ପଦକ୍ଷେପ ନେବେ।" ବିଜେପିର ପଞ୍ଜାବ ସଭାପତି ସୁନୀଲ ଝାଖର ମଧ୍ୟ ବନ୍ୟା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ ଏକ୍ସରେ କହିଛନ୍ତି ଯେ ପଞ୍ଜାବର ବନ୍ୟା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଭାବେ ଚିନ୍ତିତ। ସେ ସ୍ଥିତି ଉପରେ ନଜର ରଖିଛନ୍ତି। ଶ୍ରୀ ଝାଖରଙ୍କ କହିବା କଥା ଯେ ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୯ରେ ପଞ୍ଜାବ ଆସି ବ୍ୟକ୍ତିଗତ ଭାବେ ସ୍ଥିତିର ଯାଞ୍ଚ କରିବେ। ଏହାଦ୍ୱାରା ପ୍ରଭାବିତ ଲୋକମାନେ ସର୍ବାଧିକ ସହାୟତା ପାଇପାରିବେ।












Click it and Unblock the Notifications