ଆସନ୍ତାକାଲି ନୂଆଦିଲ୍ଲୀରେ ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆରମ୍ଭ ହୋଇଥିବା ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପରେ ଆସନ୍ତାକାଲି ଯୋଗଦେବେ । ଆସନ୍ତାକାଲି ଜାତୀୟ ଯୁବଦିବସରେ ଶ୍ରୀ ମୋଦୀ ଦେଶର ୩ ହଜାର ଯୁବନେତୃତ୍ୱଙ୍କ ସହ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ଆଜି ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ଼ସେଙ୍କ ଦ୍ୱାରା ଜାତୀୟ ଯୁବ ମହୋତ୍ସବ ୨୦୨୫ ଏବଂ ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପ ସମ୍ପର୍କରେ ଲିଖିତ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ସେୟାର୍ କରି କହିଛନ୍ତି, ଦେଶର ବିକାଶ ଯାତ୍ରାରେ ଯୁବବର୍ଗଙ୍କୁ ସାମିଲ କରିବା ଦିଗରେ ଏହି ସମ୍ମିଳନୀ ଏକ ଅଭିନବ ପଦକ୍ଷେପ ।
ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଲାଗି ଯୁବବର୍ଗଙ୍କ ମଧ୍ୟରେ ଶକ୍ତି, ନବସୃଜନତା ଏବଂ ନେତୃତ୍ୱ ନେବାର ପ୍ରତିଭାକୁ ବିକଶିତ କରାଇବା ଦିଗରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି । ଏହି ବାର୍ତ୍ତାଳାପରେ ୧୦ଟି ପ୍ରମୁଖ ବିଷୟବସ୍ତୁ ଉପରେ ପ୍ରତିଯୋଗିମାନେ ଲେଖିଥିବା ଶ୍ରେଷ୍ଠ ପ୍ରବନ୍ଧଗୁଡ଼ିକର ସଂକଳନକୁ ମଧ୍ୟ ଶ୍ରୀ ମୋଦୀ ଉନ୍ମୋଚନ କରିବେ । ଏହି ବିଷୟଗୁଡ଼ିକ ମଧ୍ୟରେ ପ୍ରଯୁକ୍ତିବିଦ୍ୟା, ମହିଳା ସଶକ୍ତିକରଣ, କୃଷି ଓ କୃଷି ଭିତ୍ତିକ ଉତ୍ପାଦନ ବୃଦ୍ଧି ସମ୍ବନ୍ଧୀୟ ରଚନାଗୁଡ଼ିକ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ଶାସନ ବ୍ୟବସ୍ଥା ଓ ଯୁବପିଢ଼ିର ଆଶା ଏବଂ ଆକାଂକ୍ଷା ମଧ୍ୟରେ ଥିବା ଦାୟିତ୍ୱବୋଧ ଭାବନାକୁ ପ୍ରୋତ୍ସାହିତ କରିବ ବୋଲି କୁହାଯାଇଛି । ଜାତୀୟ ଯୁବ ମହୋତ୍ସବ ଆୟୋଜନର ୨୫ବର୍ଷ ପୁରୁଣା ପରମ୍ପରାକୁ ଏକ ନୂତନ ରୂପ ଦିଆଯାଇ ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପ ଅନୁଷ୍ଠିତ ହେଉଛି । ଏଥିରେ କୌଣସି ରାଜନୈତିକ ସଂପୃକ୍ତି ନଥାଇ ଯୁବ ପିଢ଼ିକୁ ବିକଶିତ ଭାରତ ପାଇଁ ସେମାନଙ୍କ ଚିନ୍ତାଧାରା ପ୍ରକାଶ ନିମନ୍ତେ ଏହା ଏକ ପ୍ରକୃଷ୍ଠ ମଞ୍ଚ ବୋଲି କୁହାଯାଇଛି ।












Click it and Unblock the Notifications