ଆସନ୍ତା ୧୧ରେ ମୋଦିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ହେବ ଶୁଭାରମ୍ଭ
ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଦେଶର ସମସ୍ତ କୃଷିମନ୍ତ୍ରୀଙ୍କ ସହ ଏକ ବୈଠକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୧ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେବାକୁ ଥିବା ଯୋଜନା ପରିପ୍ରେକ୍ଷୀରେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ କରାଯାଇଥିଲା । ଏଥିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନଙ୍କ ସୂଚନା ଅନୁଯାୟୀ, ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ । ସେହିପରି, ଭୁବନେଶ୍ୱରରେ ଷ୍ଟେଟ ଅଫ ଦ ଆର୍ଟ ହୋଲସେଲ ମାଛ ମାର୍କେଟର ଶିଳାନ୍ୟାସ, ହୀରାକୁଦରେ ଇଣ୍ଟିଗ୍ରେଟେଡ଼ ଆକ୍ୱା ପାର୍କର ଭିସି ମାଧ୍ୟମରେ ଶିଳାନ୍ୟାସ କରିବେ। ଏହି ଅବସରରେ ଚାଷୀଙ୍କ ସହ ବାର୍ତ୍ତାଳାପ ମଧ୍ୟ କରିବେ । ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ରାଜ୍ୟର ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରରେ କରାଯିବ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଦେଶରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, ଲୋକଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ଦେବା, ଚାଷୀଙ୍କ ଆୟ, ଉତ୍ପାଦନରେ ବୃଦ୍ଧି ନିମନ୍ତେ ସରକାର ଏହି ସବୁ ଯୋଜନା ଗୁଡ଼ିକ ପ୍ରସ୍ତୁତ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ଦେଶର ୫୦ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ, କୃଷକ ଉତ୍ପାଦକ ଗୋଷ୍ଠୀ ଲାଭବାନ ହେବେ । ଦେଶରେ ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ରେକର୍ଡ଼ ପରିମାଣର ପନି ପରିବା ଓ ଖାଦ୍ୟ ଶସ୍ୟ ଉତ୍ପାଦନ ହେଇଛି । ଡାଲି ଏବଂ ତୈଳବୀଜ ଉତ୍ପାଦନରେ ଆତ୍ମନିର୍ଭର ହେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀଚୌହାନ ଆହ୍ୱାନ ଦେଇଛନ୍ତି । ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, କୃଷି ବିଭାଗ ଓ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।












Click it and Unblock the Notifications