ଜମ୍ମୁ କଶ୍ମୀର ବିକାଶରେ ନୂଆ ଫର୍ଦ୍ଦ, ଆଜି ଉଦଘାଟିତ ହେବ ବିଶ୍ବର ଉଚ୍ଚତମ ରେଲୱେ ବ୍ରିଜ
ଆଜି ଉଦଘାଟିତ ହେବ ବିଶ୍ବର ଉଚ୍ଚତମ ରେଲୱେ ବ୍ରିଜ। ଜମ୍ମୁକଶ୍ମୀରର ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ଉଚ୍ଚତମ ରେଲୱେ ବ୍ରିଜ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦ୍ଧମପୁର-ଶ୍ରୀନଗର-ବାରାମୁଲା ରେଲୱେ ଲିଙ୍କ ପ୍ରକଳ୍ପ ଅନ୍ତର୍ଗତ ନିର୍ମିତ ହୋଇଥିବା ଏହି ବ୍ରିଜ ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ଯାତାୟତକୁ ସହଜ କରିବ । ଭାରତର କୁତବ ମିନାର ଓ ପ୍ୟାରିସର ଆଇଫେଲ ଟାୱାର ଠାରୁ ଉଚ୍ଚ ଚେନାବ ରେଲୱେ ବ୍ରିଜର ଉଚ୍ଚତା ଚେନାବ ନଦୀ ଶଯ୍ୟା ଠାରୁ ୩୫୯ ମିଟର ବା ୧୧୭୮ ଫୁଟ ରହିଛି ।
କୁତବ ମିନାର ଉଚ୍ଚତା ୭୨ ମିଟର ଥିବାବେଳେ ଆଇଫେଲ ଟାୱାରର ଉଚ୍ଚତା ୩୨୪ ମିଟର ରହିଛି । ଷ୍ଟିଲ ଆର୍କ ଡିଜାଇନରେ ନିର୍ମିତ ଏହି ବ୍ରିଜର ମୁଖ୍ୟ ଆର୍କର ଦୈର୍ଘ୍ୟ ୪୬୭ ମିଟର ବା ୧୫୩୨ ଫୁଟ ରହିଛି । ୧୩୧୫ ମିଟର ବା ୧.୩ କିଲୋମିଟର ଦୀର୍ଘ ଏହି ବ୍ରିଜ ନିର୍ମାଣରେ ପ୍ରାୟ ୨୭ ହଜାର ଟନ ଷ୍ଟିଲ ବ୍ୟବହୃତ ହୋଇଛି। ଉନ୍ନତ ଜ୍ଞାନକୌଶଳ ଓ ସ୍ୱଦେଶୀ ଇଞ୍ଜିନିୟରିଂରେ ନିର୍ମିତ ଏହି ବ୍ରିଜ ବିଭିନ୍ନ ଭୂମିକମ୍ପ, ଘୂର୍ଣ୍ଣିବାତ୍ୟା ଭଳି ପ୍ରତିକୂଳ ପରିସ୍ଥିତିକୁ ମଧ୍ୟ ସାମ୍ନା କରିପାରିବ। ଘଣ୍ଟାପ୍ରତି ୧୬୫ କିଲୋମିଟର ବେଗରେ ପବନ ବହୁ କିମ୍ବା ରିକ୍ଟର ସ୍କେଲରେ ୮ ତୀବ୍ରତାର ଭୂମିକମ୍ପ ହେଉ ସବୁ କିଛି ସହିପାରିବ ଏହି ବ୍ରିଜ ।

ସେହିପରି ସର୍ବନିମ୍ନ ତାପମାତ୍ରା ମାଇନସ ୨୦ ଡିଗ୍ରୀ ହେଲେ ମଧ୍ୟ ବ୍ରିଜର କୌଣସି କ୍ଷତି ହେବ ନାହିଁ । ପାକିସ୍ତାନ ସହ ଭାରତର ପାରମ୍ପରିକ ଶତ୍ରୁତାକୁ ଦୃଷ୍ଟିରେ ରଖି କୌଣସି ପ୍ରକାର ବିସ୍ଫୋରଣରୁ ବ୍ରିଜକୁ ସୁରକ୍ଷା ଦେବାକୁ ମଧ୍ୟ ଏଥିରେ ବୈଶିଷ୍ଟ୍ୟ ରହିଛି । ଚେନାବ ରେଲୱେ ବ୍ରିଜର ଜୀବନକାଳ ୧୨୦ ବର୍ଷ ରହିଛି। ୧୫ ବର୍ଷ ପର୍ଯ୍ୟନ୍ତ ବ୍ରିଜକୁ ସୁରକ୍ଷା ଦେବାକୁ ସ୍ୱତନ୍ତ୍ର କଳଙ୍କି ନିରୋଧୀ ପ୍ରଲେପ ଦିଆଯାଇଛି । ଆଜି ବ୍ରିଜ ଉଦଘାଟନ ପରେ ଏହା ଉପରେ ଗଡିବ କଟାରା- ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ। ବନ୍ଦେ ଭାରତ ଏକ୍ସପ୍ରେସ ମାତ୍ର ୩ ଘଣ୍ଟାରେ କଟାରା ଠାରୁ ଶ୍ରୀନଗର ପହଞ୍ଚିବ। ଏହା ୨ରୁ ୩ ଘଣ୍ଟା ଯାତ୍ରା ସମୟ ବଞ୍ଚାଇବ । ସବୁ ପ୍ରକାର ପାଣିପାଗରେ ଚେନାବ ବ୍ରିଜରେ ରେଳ ଯୋଗାଯୋଗ ଜାରି ରହିପାରିବ।












Click it and Unblock the Notifications