ଆସନ୍ତା ୬ରେ ଚେନାବ ସେତୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ଜାମ୍ମୁ-କାଶ୍ମୀରର ଚେନାବ ନଦୀ ଉପରେ ନିର୍ମିତ ବିଶ୍ବର ସର୍ବୋଚ୍ଚ ରେଳ ସେତୁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୬ ତାରିଖରେ ଉଦ୍ଘାଟନ କରିବେ। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଙ୍ଗଳବାର ସୂଚନା ଦେଇଛନ୍ତି। ଉଦ୍ଦାମପୁର-ଶ୍ରୀନଗର-ବାରମୂଳା ରେଲୱେ ଲିଙ୍କ୍ (ୟୁଏସ୍ବିଆର୍ଏଲ୍) ପ୍ରକଳ୍ପ ଅଧୀନ ଏହି ସେତୁଟି ନଦୀ ଶଯ୍ୟାଠାରୁ ୩୫୯ ମିଟର ଉଚ୍ଚତାରେ ଅବସ୍ଥିତ।
ଯାନ୍ତ୍ରିକ କଳା-ନିପୂଣର ଏହା ଏକ ବଡ଼ ନିଦର୍ଶନ ହୋଇଥିବାବେଳେ କାଶ୍ମୀର ଉପତ୍ୟକାର ଆର୍ଥିକ ବିକାଶରେ ଅଗ୍ରଣୀ ଭୂମିକା ନିର୍ବାହ କରିବ। ଏହି ସେତୁ ନୂଆ ଭାରତର ସଂକଳ୍ପ ଓ ଦକ୍ଷତାକୁ ପ୍ରତିପାଦିତ କରୁଛି। ଏହା ସହିତ ଦେଶର ସାମଗ୍ରିକ ବିକାଶ ଲାଗି ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ସୂଚିତ କରୁଛି। ଏହା ନୂଆଦିଲ୍ଲୀକୁ ଭାୟା କଟ୍ରା ଦେଇ ଜାମ୍ମୁ-କାଶ୍ମୀରକୁ ସିଧାସଳଖ ସଂଯୋଗ କରିବ। ଏହି ସେତୁ ନିର୍ମାଣରେ ୩୦,୦୦୦ ମେଟ୍ରିକ ଟନ୍ ଇସ୍ପାତ ବ୍ୟବହୃତ ହୋଇଛି।

ଏହି ସେତୁଟି ଘଣ୍ଟା ପ୍ରତି ୨୫୦ କିମି ବେଗର ପବନକୁ ସହ୍ୟ କରିବାର ଦକ୍ଷତା ରଖିଛି। ୟୁଏସ୍ବିଆର୍ଏଲ୍ର ୨୭୨ କି.ମି. ରେଳପଥ ମଧ୍ୟରେ ୩୬ଟି ଟନେଲ ରହିଛି। ଏହାର ଲମ୍ବ ୧୧୯ କି.ମି। ଏହା ମଧ୍ୟରେ ପ୍ରାୟ ୧୦୦୦ଟି ସେତୁ ରହିଛି। ଏଥିରୁ ଅନେକ ସେତୁ ତିଆରି କରିବା ଲାଗି ବର୍ଷ ବର୍ଷ ସମୟ ବିତିଯାଇଛି।












Click it and Unblock the Notifications