ଆଜି ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ସଂସଦର ଶୀତ ଅଧିବେଶନରେ ଆସନ୍ତାକାଲି (୮ ଡିସେମ୍ବର) ଏକ ଗୁରୁତ୍ବପୂର୍ଣ୍ଣ ଦିବସ। ଲୋକସଭାରେ 'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବିଶେଷ ଆଲୋଚନା ହେବ। ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଉଦ୍ବୋଧନ ଦେବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ଏ ବାବଦ ସୂଚନା ଦେଇ କହିଛନ୍ତି ଯେ, ଏହା ଏକ ଅତ୍ୟନ୍ତ ଗୌରବମୟ ମୁହୂର୍ତ୍ତ ହେବ। 'ବନ୍ଦେ ମାତରମ୍' ଗୀତଟି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ତାଙ୍କ ବିଖ୍ୟାତ ଉପନ୍ୟାସ 'ଆନନ୍ଦମଠ'ରେ ପ୍ରଥମେ ଲେଖିଥିଲେ। ଏହା ପ୍ରଥମ ଥର ପାଇଁ ୧୮୯୬ କଲିକତା କଂଗ୍ରେସ ଅଧିବେଶନରେ ଗାନ କରାଯାଇଥିଲା। ସ୍ବାଧୀନତା ସଂଗ୍ରାମରେ ଏହି ଗୀତ କୋଟି କୋଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଅଗ୍ନି ଜଳାଇଥିଲା ଏବଂ ଏହାକୁ ଭାରତର ଜାତୀୟ ଗାନ ଭାବେ ଗ୍ରହଣ କରାଯାଇଥିଲା। ଆସନ୍ତାକାଲି ଲୋକସଭାରେ ଏହି ଆଲୋଚନା ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ପରେ ବିଭିନ୍ନ ଦଳର ସାଂସଦମାନେ ନିଜ ମତ ରଖିବେ। ରାଜ୍ୟସଭାରେ ମଧ୍ୟ ଏହି ବିଷୟରେ ବିଶେଷ ଆଲୋଚନା ହେବ। ଉଭୟ ଗୃହରେ ଆଲୋଚନା ଶେଷରେ ଏକ ପ୍ରସ୍ତାବ ଗ୍ରହଣ କରାଯିବ ।

ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ଏବଂ ନିର୍ବାଚନ ସଂସ୍କାର ପ୍ରସଙ୍ଗ ନେଇ ବିରୋଧୀ ଦଳମାନେ ଦୀର୍ଘ ଦିନ ହେଲା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ କଡ଼ା ସମାଲୋଚନା କରୁଥିବା ବେଳେ ସଂସଦରେ ବିତର୍କ ଦାବି କରିଥିଲେ। ମଙ୍ଗଳବାର ସଂସଦରେ ନିର୍ବାଚନୀ ସଂସ୍କାରକୁ ନେଇ ବିତର୍କ ହେବ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ବିତର୍କରେ ବିରୋଧୀ ଦଳଙ୍କ ନେତୃତ୍ବ ନେବେ। କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ, ମନୀଷ ତିୱାରୀ, ବର୍ଷା ଗାଏକୱାଡ, ମହମ୍ମଦ ଜାୱେଦ, ଉଜ୍ଜ୍ବଳ ରମଣ ସିଂହ, ଈଶା ଖାନ ଚୌଧୁରୀ, ମଲ୍ଲୁ ରବି, ଇମ୍ରାନ ମାସୁଦ, ଗୋବଲ ପାଡଭୀ ଓ ଜୋତିମନି କଂଗ୍ରେସ ପକ୍ଷରୁ ବିତର୍କରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ବିତର୍କ ପାଇଁ ୧୦ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ବୁଧବାର ଆଇନ ମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲ ବିତର୍କର ଜବାବ ରଖିବେ ।
ବିତର୍କରେ ରାହୁଲ 'ଭୋଟ ଚୋରି' ଓ ଭାରତୀୟ ନିର୍ବାଚନ ଆୟୋଗଙ୍କ 'ଉତ୍ତରଦାୟିତ୍ବ' ପ୍ରସଙ୍ଗ ଉଠାଇ ପାରନ୍ତି। ରାହୁଲ ବିଭିନ୍ନ ନିର୍ବାଚନ ପ୍ରଚାର ଅଭିଯାନରେ ମଧ୍ୟ ଏହାକୁ ମୁଖ୍ୟ ପ୍ରସଙ୍ଗ କରିଆସିଛନ୍ତି। 'ନିର୍ବାଚନ ଆୟୋଗଙ୍କ ମନମୁଖୀ କାର୍ଯ୍ୟ, ଭୋଟ ତାଲିକାରେ ବ୍ୟାପକ ହେରଫେର୍, ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା' ଅଭିଯୋଗ ନେଇ ବିରୋଧୀମାନେ ଇସିଆଇଙ୍କୁ ଗତ କିଛି ମାସ ହେଲା ଟାର୍ଗେଟ୍ କରୁଛନ୍ତି। ମହାରାଷ୍ଟ୍ର, ହରିୟାଣା ଓ କର୍ଣ୍ଣାଟକ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ ବିଗତ ଦିନରେ ରାହୁଲ ଗାନ୍ଧୀ ଅନେକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବହୁ ସଂଖ୍ୟକ ଭୋଟରଙ୍କୁ ତାଲିକାରୁ ହଟାଇ ଜାଲ ଭୋଟରଙ୍କୁ ସାମିଲ କରାଯାଉଛି ବୋଲି ରାହୁଲ ଅଭିଯୋଗ କରିଆସୁଛନ୍ତି। ବିତର୍କ ବେଳେ ବିରୋଧୀ ଦଳ ନେତାମାନେ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ଉପରେ ଚାପ ଓ ଆତ୍ମହତ୍ୟା ପ୍ରସଙ୍ଗ ମଧ୍ୟ ଉଠାଇ ପାରନ୍ତି।
ଡିସେମ୍ବର ୧ରେ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ବିରୋଧୀ ଦଳମାନେ ଏସ୍ଆଇଆର୍ ଉପରେ ବିତର୍କ ଦାବିରେ ଦୁଇ ଦିନ ଧରି ଉଭୟ ଗୃହ ଭିତରେ ଓ ବାହାରେ ପ୍ରତିବାଦ କରିଥିଲେ। ଦୀର୍ଘ ଆଲୋଚନା ପରେ ବିତର୍କ ପାଇଁ ସରକାର ଓ ବିରୋଧୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା।












Click it and Unblock the Notifications