ମିଆଁମାର ସେନା ମୁଖ୍ୟଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ମ୍ୟାମାର ଓ ଥାଇଲାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ଆସିଛି। ୭.୭ ଏବଂ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମ୍ୟାମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି। ମ୍ୟାମାରରେ ଏପର୍ଯ୍ୟନ୍ତ ୧୦୦୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩୦୦ରୁ ଅଧିକ ଆହତ ହୋଇଛନ୍ତି।
ଭାରତୀୟ ବାୟୁସେନାର ସି-୧୩୦ଜେ ବିମାନ ଜରିଆରେ ରିଲିଫ୍ ପ୍ୟାକେଜ୍ ପଠାଇଛି ଭାରତ, ଯେଉଁଥିରେ ତମ୍ବୁ, ଶୋଇବା ବ୍ୟାଗ୍, କମ୍ବଳ, ଖାଦ୍ୟ ଏବଂ ଜେନେରେଟର ସେଟ୍ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଅନ୍ତର୍ଭୁକ୍ତ।ଭୂମିକମ୍ପ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ପାରାସିଟାମଲ୍, ଆଣ୍ଟିବାୟୋଟିକ୍, ସିରିଞ୍ଜ, ଗ୍ଲୋଭସ୍ ଏବଂ ବ୍ୟାଣ୍ଡେଜ୍ ଭଳି ଚିକିତ୍ସା ସାମଗ୍ରୀ ମଧ୍ୟ ପଠାଯାଉଛି। ଏହା ସହ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ମଧ୍ୟ ଭୟଙ୍କର ଭୂମିକମ୍ପରେ କ୍ଷତିଗ୍ରସ୍ତ ମିଆଁମାର ଏବଂ ଥାଇଲ୍ୟାଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଆଁମାର ସାମରିକ ସେନା ମୁଖ୍ୟ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କ ସହ କଥା ହୋଇଛନ୍ତି। ଶୁକ୍ରବାର ମିଆଁମାର ଭୂକମ୍ପରେ ପ୍ରାଣହାନି ପାଇଁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହି କଷ୍ଟକର ସମୟରେ ମିଆଁମାର ଲୋକଙ୍କ ସହିତ ଏକତାରେ ଠିଆ ହେବାକୁ ଭାରତ ପ୍ରସ୍ତୁତ ଥିବା ସେ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ, ଅପରେସନ୍ ବ୍ରହ୍ମାର ଅଂଶ ଭାବରେ ବିପର୍ଯ୍ୟୟ ରିଲିଫ୍ ସାମଗ୍ରୀ, ମାନବିକ ସହାୟତା ଏବଂ ସନ୍ଧାନ ଏବଂ ଉଦ୍ଧାର ଦଳଗୁଡ଼ିକୁ ପ୍ରଭାବିତ ଅଞ୍ଚଳକୁ ଶୀଘ୍ର ପଠାଯାଉଛି।
ଭୂକମ୍ପରେ ପ୍ରାଣହାନି ଘଟିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ମୁଁ ଗଭୀର ସମବେଦନା ଜଣାଉଛି। ଏକ ଘନିଷ୍ଠ ବନ୍ଧୁ ଏବଂ ପଡ଼ୋଶୀ ଭାବରେ, ଭାରତ ଏହି କଷ୍ଟକର ସମୟରେ ମିଆଁମାର ଲୋକଙ୍କ ସହିତ ଏକତାରେ ଠିଆ ହୋଇଛି। ଅପରେସନ୍ ବ୍ରହ୍ମାର ଅଂଶ ଭାବରେ ବିପର୍ଯ୍ୟୟ ରିଲିଫ୍ ସାମଗ୍ରୀ, ମାନବୀୟ ସହାୟତା, ସନ୍ଧାନ ଏବଂ ଉଦ୍ଧାର ଦଳଗୁଡ଼ିକୁ ପ୍ରଭାବିତ ଅଞ୍ଚଳକୁ ଶୀଘ୍ର ପଠାଯାଉଛି ବୋଲି ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।












Click it and Unblock the Notifications