ଅପରେସନ ସିନ୍ଦୂରକୁ ୧୯୩ ଦେଶରୁ ସମର୍ଥନ ମିଳିଲା, ହେଲେ କଂଗ୍ରେସ ଆଜି ବି ସମର୍ଥନ କରିବାକୁ ଚାହୁଁନି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ପହଲଗାମ ଏବଂ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଭାଗ ନେଇଛନ୍ତି। ମଙ୍ଗଳବାର ସଦନରେ ମୋଦି କହିଛନ୍ତି ଯେ ସେ ଭାରତର ପକ୍ଷ ରଖିବା ପାଇଁ ଏବଂ ଯେଉଁମାନେ ଭାରତର ପକ୍ଷ ଦେଖି ପାରୁନାହାନ୍ତି, ସେମାନଙ୍କୁ ଆଇନା ଦେଖାଇବା ପାଇଁ ଛିଡ଼ା ହୋଇଛି। ଅପରେସନ ସିନ୍ଦୂର ସମୟରେ ଦେଶବାସୀଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ ସେ ଋଣୀ। ତେବେ ୨୨ ଏପ୍ରିଲର ଆକ୍ରମଣର ପ୍ରତିଶୋଧ ୨୨ ମିନିଟ ମଧ୍ୟରେ ନିଆଯାଇଥିଲା ବୋଲି ମୋଦି କହିଛନ୍ତି।
ପିଏମ୍ ଆହୁରି କହିଛନ୍ତି ଯେ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଘଟଣା, ଯେଉଁଠାରେ ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ଗୁଳି ମାରିଥିଲେ, ଏହା ଥିଲା ନିର୍ମମତାର ଚରମ ସୀମା। ଏହା ଭାରତକୁ ହିଂସାର ନିଆଁରେ ଜଳାଇବାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। ଦେଶବାସୀଙ୍କ ଏକତା ସହିତ ଏହି ଷଡ଼ଯନ୍ତ୍ରକୁ ବିଫଳ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପିଏମ କହିଛନ୍ତି ଯେ ସେନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ୨୨ ଏପ୍ରିଲ ପରେ ସେ ବିଦେଶରୁ ଫେରି ଏକ ବୈଠକ ଡାକି ଆତଙ୍କବାଦକୁ କଡ଼ା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେନାକୁ କାର୍ଯ୍ୟାନୁଷ୍ଠାନର ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିଲା। ସେମାନେ ନିଷ୍ପତ୍ତି ନେଇଥିଲେ କେବେ, କେଉଁଠାରେ ଓ କିପରି ଜବାବ ଦେବେ। ଆତଙ୍କବାଦୀମାନଙ୍କୁ ଏଭଳି ଶାସ୍ତି ଦିଆଯାଇଛି ଯେ ସେମାନଙ୍କ ମୁଖିଆମାନଙ୍କ ନିଦ ହଜିଛି।

ଅନ୍ୟପକ୍ଷରେ ଲୋକସଭାରେ କଂଗ୍ରେସକୁ ଟାର୍ଗେଟ କରି ମୋଦୀ କହିଥିଲେ ଯେ ଅପରେସନ ସିନ୍ଦୂରକୁ ୧୯୩ ଦେଶରୁ ସମର୍ଥନ ମିଳିଥିଲା କିନ୍ତୁ କଂଗ୍ରେସରୁ ମିଳିନଥିଲା। କେବଳ ୩ ଦେଶ ଏହି ଅପରେସନକୁ ବିରୋଧ କରିଥିଲେ। କଂଗ୍ରେସ ପକ୍ଷରୁ ଆମ ସେନାର ତଥ୍ୟକୁ ବିଶ୍ବାସ ନ କରି ପାକିସ୍ତାନ ଦ୍ବାରା ପ୍ରସାରିତ ମିଛକୁ ପ୍ରଚାର କରାଯାଇଥିଲା । କଂଗ୍ରେସ ସବୁବେଳେ ପ୍ରସଙ୍ଗ ପାଇଁ ପାକିସ୍ତାନ ଉପରେ ନିର୍ଭର କରୁଛି ।












Click it and Unblock the Notifications