'ଆସନ୍ତା ୫ ବର୍ଷରେ ବୃଦ୍ଧି ହେବ ଆଉ ୭୫ ହଜାର ମେଡିକାଲ୍ ଆସନ'
ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗତ ୧୦ ବର୍ଷ ମଧ୍ୟରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାଶୀର ଲୋକପ୍ରିୟତାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହା କେବଳ ପୂର୍ବାଞ୍ଚଳରେ ନୁହେଁ; ବରଂ ସାରା ଦେଶପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ନିଜ ସଂସଦୀୟ କ୍ଷେତ୍ର ବାରାଣସୀରେ ଆର୍.ଜେ. ଶଙ୍କର ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଦେଶର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆସନ୍ତା ୫ ବର୍ଷରେ ମେଡିକାଲ୍ ଆସନ ସଂଖ୍ୟା ଆଉ ୭୫ ହଜାର ବୃଦ୍ଧି ପାଇବ ।
ଏହି ଅବସରରେ ମୋଦି ସ୍ୱାସ୍ଥ୍ୟସେବା ଏବଂ ଲୋକମାନଙ୍କୁ ସୁବିଧାରେ ଚିକିତ୍ସା ସେବା ଯୋଗାଇ ଦେବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସମ୍ପର୍କରେ କହିଥିଲେ । ସେ କହିଥିଲେ, ଗତ ୧୦ ବର୍ଷରେ ପୂର୍ବାଞ୍ଚଳରେ ୫ ହଜାର ୫ ଶହଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପନ କରାଯାଇଛି । ଏହାବ୍ୟତୀତ ଔଷଧଗୁଡ଼ିକୁ ଶସ୍ତା କରାଯିବା ଫଳରେ ଏହାଉପରେ ହେଉଥିବା ଖର୍ଚ୍ଚ ପରିମାଣ ୨୫ ପ୍ରତିଶତ ହ୍ରାସ ପାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ତାଙ୍କ ସରକାର ପ୍ରଥମେ କ୍ଷମତାକୁ ଆସିଲା, ସେ ସମୟରେ ମିଶନ ଇନ୍ଦ୍ରଧନୁସ୍ ଜରିଆରେ ଗର୍ଭବତୀ ମହିଳା ଓ ନବଜାତମାନଙ୍କୁ ଟିକାକରଣ କରାଯାଇଥିଲା । ଆଜି ପ୍ରଧାନମନ୍ତ୍ରୀ କାଞ୍ôଚକାମକୋଠି ତୀର୍ଥର ଜଗତ୍ଗୁରୁ ଶ୍ରୀଶଙ୍କରା ବିଜୟେନ୍ଦ୍ର ସରସ୍ୱତୀଙ୍କ ଉପସ୍ଥିତିରେ ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟନ କରିଥିଲେ । ଶଙ୍କର ନେତ୍ରାଳୟଦ୍ୱାରା ସ୍ଥାପିତ ଏହି ଚିକିତ୍ସାଳୟ ଦେଶର ଏକ ପ୍ରମୁଖ ଚକ୍ଷୁ ଚିକିତ୍ସାଳୟ ଭାବେ ଜଣାଶୁଣା ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଚିକିତ୍ସାଳୟ ଉନ୍ନତ ଚକ୍ଷୁ ଚିକିତ୍ସା ଯୋଗାଇ ଦେବ ବୋଲି ଆଶା ପୋଷଣ କରିଛନ୍ତି । ବାରାଣସୀରେ ଶଙ୍କର ନେତ୍ରାଳୟର ଏହା ଚତୁର୍ଦ୍ଦଶ ଚିକିତ୍ସାଳୟ । ପ୍ରତ୍ୟେକ ବର୍ଷ ସାରା ଦେଶରେ ଏହି ଚିକିତ୍ସାଳୟରେ ୩୦ ହଜାରରୁ ଅଧିକ ଗରିବ ଲୋକଙ୍କ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା ରହିଛି । ୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିଶ୍ୱସ୍ତରୀୟ ଚକ୍ଷୁଚିକିତ୍ସାଳୟରେ ୯ଟି ଅସ୍ତ୍ରୋପଚାର କକ୍ଷ ରହିଛି ।












Click it and Unblock the Notifications