ଆସନ୍ତା ମଙ୍ଗଳବାରଠାରୁ ଦୁଇଦିନିଆ ମରିସସ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମଙ୍ଗଳବାରଠାରୁ ଦୁଇ ଦିନିଆ ମରିସସ୍ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିସ୍ରୀ କହିଛନ୍ତି, ୨୦୧୫ ମସିହା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଏହା ହେଉଛି ପ୍ରଥମ ମରିସସ୍ ଗସ୍ତ।
ଏହି ଗସ୍ତ ଅବସରରେ ମରିସସର ଜାତୀୟ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ବୈଦେଶିକ ସଚିବ କହିଛନ୍ତି, ମରିସସ୍ ଜାତୀୟ ଦିବସରେ ଭାରତୀୟ ପ୍ରତିରକ୍ଷା ବାହିନୀ, ନୌସେନା ଏବଂ ବାୟୁସେନାର ଆକାଶ ଗଙ୍ଗା ସ୍କାଏ ଡାଇଭିଂ ଦଳ ଅଂଶଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀ ମଙ୍ଗଳବାର ସକାଳେ ପୋର୍ଟ ଲୁଇସରେ ପହଞ୍ଚିବେ। ମରିସସ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରତିଷ୍ଠାତା ସିୱସାଗୁର ରାମଗୁଲାମ ଏବଂ ମରିସସର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ସାର୍ ଅନିରୁଦ ଜଗନ୍ନାଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶ୍ରୀ ମୋଦୀ ସାର୍ ସିଉସାଗୁର ରାମଗୁଲାମ୍ ବଟାନିକାଲ ଗାର୍ଡେନ୍ ଗସ୍ତ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମରିସସ୍ ରାଷ୍ଟ୍ରପତି ଧର୍ମବୀର ଗୋଖୁଲ, ପ୍ରଧାନମନ୍ତ୍ରୀ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମ ଏବଂ ମରିସସ୍ର ବିଶିଷ୍ଟ ବ୍ୟକ୍ତି ଏବଂ ରାଜନୈତିକ ଦଳର ନେତାମାନଙ୍କ ସହ ବୈଠକ କରିବେ।
ଶ୍ରୀ ମିସ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତୀୟ ବଂଶୋଦ୍ଭବ ସଦସ୍ୟମାନଙ୍କ ସହ ଆଲୋଚନା କରିବେ ଏବଂ ଭାରତର ଅନୁଦାନ ସହାୟତାରେ ନିର୍ମିତ ସିଭିଲ ସର୍ଭିସ କଲେଜ ଏବଂ ଏରିଆ ହେଲ୍ଥ ସେଣ୍ଟରକୁ ଉଦଘାଟନ କରିବେ । ଏହି ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ କେତେଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି ।












Click it and Unblock the Notifications