Maharashtra Assembly elections: ଏକଜୁଟ୍ ନରହିଲେ କଂଗ୍ରେସ ଛଡ଼ାଇ ନେବ ସଂରକ୍ଷଣ: ପ୍ରଧାନମନ୍ତ୍ରୀ
ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ସୋଲାପୁର ଠାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି । ମହାୟୁତି ମେଣ୍ଟ ସରକାର ରାଜ୍ୟରେ ବହୁବିଧ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମହିଳାଙ୍କ ଉନ୍ନତି ଲାଗି ରାଜ୍ୟରେ ମୁଖ୍ୟମନ୍ତ୍ରୀ ମାଝି ଲଡ୍କି ବହିନ୍ ଯୋଜନା ଲାଗୁ କରାଯାଇଛି ବୋଲି ସେ କହିଛନ୍ତି । ମହାୟୁତି ମେଣ୍ଟ ରାଜ୍ୟରେ ସ୍ଥିର ସରକାର ପ୍ରଦାନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ତେବେ କଂଗ୍ରେସ ସଂରକ୍ଷଣ ନୀତିକୁ ଅବମାନନା କରିବା ସହ ଦଳିତ, ଆଦିବାସୀ ଏବଂ ଅନ୍ୟାନ୍ୟ ପଛୁଆବର୍ଗଙ୍କ ମଧ୍ୟରେ ଏହାକୁ ନେଇ ବିଭେଦ ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି, 'ଆପଣମାନେ ଏକଜୁଟ୍ ନରହିଲେ, କଂଗ୍ରେସ ସଂରକ୍ଷଣ ଛଡ଼ାଇ ନେବ ।' ପିଏମ୍ ମୋଦୀ କହିଛନ୍ତି, 'ଯଦି ଆପଣ ଏକଜୁଟ୍ ନରହିବେ, ଆପଣଙ୍କ ମଧ୍ୟରେ ଫାଟ ହେଲେ ପ୍ରଥମେ କଂଗ୍ରେସ ଆପଣଙ୍କ ସଂରକ୍ଷଣ ଛଡ଼ାଇ ନେବେ ।

ସେ କହିଛନ୍ତି ଯେ ଦେଶର ସବୁଠୁ ପୁରୁଣା ପାର୍ଟି କଂଗ୍ରେସ ଦେଶର ଲୋକଙ୍କୁ ଜାତି ଆଧାରରେ ବିଭାଜିତ କରୁଛି । ଆମେ ସମସ୍ତେ ଏକ ହୋଇ ରହିବା ଦରକାର, ଫଳରେ ବିକାଶର ଯାତ୍ରା ଜାରି ରହିବ । ସେ କହିଛନ୍ତି ଯେ ଦେଶ ଜନସଂଖ୍ୟାର ୧୦ ପ୍ରତିଶତ ହେଉଛନ୍ତି ଆଦିବାସୀ । କଂଗ୍ରେସ ଏମାନଙ୍କୁ ଜାତି-ଜାତିରେ ବିଭାଜିତ କରିବାକୁ ଚାହୁଁଛି ।
ସେ କହିଛନ୍ତି ଯଦି ଆଦିବାସୀ ସମୁଦାୟ ଭାଗ ଭାଗ ହୋଇଯିବେ ତେବେ କଂଗ୍ରେସ ସେମାନଙ୍କ ଅସ୍ତିତ୍ୱକୁ ଲିଭାଇ ଦେବ । ସୂଚନା ଯୋଗ୍ୟ ୨୮୮ ମହାରାଷ୍ଟ୍ର ବିଧାନସଭା ଆସନ ପାଇଁ ଏକକ ପର୍ଯ୍ୟାୟରେ ଆସନ୍ତା ୨୦ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବ ।












Click it and Unblock the Notifications