୯ ବର୍ଷରେ ଗୋଟିଏ ଦିନ ବି ଛୁଟି ନେଇ ନାହାଁନ୍ତି ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ କର୍ମପରାୟଣ ବ୍ୟକ୍ତ, ସେ ନିଜ କର୍ମରେ ବିଶ୍ୱାସ କରନ୍ତି । ତେବେ ଆପଣ ଜାଣନ୍ତି କି, ୨୦୧୪ରେ କ୍ଷମତାକୁ ଆସିବା ପର ଠାରୁ ମୋଦି ଗୋଟିଏ ଦିନ ବି ଛୁଟି ନେଇ ନାହାନ୍ତି । ଆଜ୍ଞା ହଁ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଆସିଛି ରୋଚକ ତଥ୍ୟ ।
୨୦୧୪ ପରଠୁ ଦୀର୍ଘ ୯ବର୍ଷର ଶାସନକାଳରେ ମୋଦି ନିରନ୍ତର କାମ କରୁଛନ୍ତି । ଏହି ତଥ୍ୟ ଆରଟିଆଇ ରିପୋର୍ଟରୁ ଜଣାପଡିଛି । ପୁଣେର ନାଗରିକ ଅଧିକାର କର୍ମୀ ପ୍ରଫୁଲ ଶାରଦା ପ୍ରଧାନମନ୍ତ୍ରୀଙ୍କ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ସର୍ମ୍ପକରେ ଆରଟିଆଇରେ ବିବରଣୀ ମାଗିଥିଲେ ।

ସୂଚନା ଅଧିକାର ଆଇନ ବଳରେ ପି. ସାରଦା ୨ଟି ପ୍ରଶ୍ନ ପଚାରି ଥିଲେ । ପ୍ରଥମ ପ୍ରଶ୍ନ ପ୍ରଧାନମନ୍ତ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିବା ପରଠାରୁ କେତେଦିନ ଅଫିସ୍ ଆସିଛନ୍ତି । ଏହାର ଉତ୍ତର ମିଳିଛି ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ଠାରୁ ଆଦୌ ଛୁଟି ନେଇ ନାହାନ୍ତି ।
ସେହିପରି ଦ୍ୱିତୀୟ ପ୍ରଶ୍ନ ଥିଲା , ପ୍ରଧାନମନ୍ତ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ କେତେଦିନ ବିଭିନ୍ନ କାର୍ଯ୍ୟକ୍ରମ ଓ ବୈଠକରେ ଭାଗ ନେଇଛନ୍ତି । ଏହାର ଉତ୍ତରରେ ଏକ ୱେବସାଇଟ ଲିଙ୍କ ଦିଆଯାଇଛି ଯାହା ଦର୍ଶାଉଛି ମୋଦି ଏ ପର୍ଯ୍ୟନ୍ତ ୩,୦୦୦ରୁ ଅଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଦେଖିବାକୁ ଗଲେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ଦିନକୁ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ।
ବିଶ୍ୱର ଅନ୍ୟତମ ଲୋକପ୍ରିୟ ନେତା ଭାବେ ମୋଦିଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଦେଶ ବିଦେଶରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ କେବେ କାମ ଛୁଟି ନେଇଛନ୍ତି କି ନାହିଁ ଏନେଇ ଲୋକଙ୍କ ମଧ୍ୟରେ କୌତୁହଳ ରହିଆସିଛି ।
ସେହିପରି ଗତ ବର୍ଷ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଦିନକୁ ମାତ୍ର ୨ ଘଣ୍ଟା ଶୋଇଥାନ୍ତି । ୨୦୧୬ରେ ମଧ୍ୟ ଏହି ସମାନ ବିଷୟକୁ ନେଇ ଆରଟିଆଇରେ ଆବେଦନ କରାଯାଇଥିଲା । ଏହାପରେ ଜଣେ ଆବେଦନକାରୀ ପ୍ରଧାନମନ୍ତ୍ରୀଙ୍କ ଲାଗି ରହିଥିବା ଛୁଟି ନିୟମ ଓ ବ୍ୟବସ୍ଥାର ଏକ କପି କ୍ୟାବିନେଟ୍ ସଚିବାଳୟରୁ ମଗାଇଥିଲେ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୁହାଯାଇଥିଲା କି , ପ୍ରଧାନମନ୍ତ୍ରୀ ଆଦୌ ଛୁଟି ନେଇନାହାନ୍ତି ଅର୍ଥାତ୍ ସବୁ ସମୟରେ କର୍ତ୍ତବ୍ୟରେ ରହିଛନ୍ତି ।












Click it and Unblock the Notifications