ପ୍ୟାରିସ ଅଲିମ୍ପିକ୍ସ ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ: ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ନରେନ୍ଦ୍ର ମୋଦୀ
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତର ୧୧୭ ଖେଳାଳି ଭାଗ ନେଇଥିଲେ । ଅଲିମ୍ପିକ୍ସର ୩୪ତମ ସଂସ୍କରଣରେ ଭାରତ ୬ ପଦକ ସହ ଅଭିଯାନ ଶେଷ କରିଛି। ଏଥର ଯଦିଓ ସ୍ବର୍ଣ୍ଣ ପଦକ ବିଜୟ ସମ୍ଭବ ହୋଇ ନ ଥିଲା ତେବେ ଭାରତୀୟ ଆଥ୍ଲେଟମାନେ ଗୋଟିଏ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ପାଇ ଦେଶକୁ ଗର୍ବିତ କରିଛନ୍ତି। ଆଥ୍ଲେଟିକ୍ସର ଜାଭେଲିନ୍ ଥ୍ରୋରୁ ରୌପ୍ୟ ପଦକଟି ଆସିଥିବାବେଳେ ଶୁଟିଂରୁ ୩ଟି ଏବଂ ପୁରୁଷ ହକି ଓ ରେସଲିଂରୁ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ମିଳିଛି।
ଆଜି ସାରା ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କୁ ଭେଟିଛନ୍ତି । ମୋଦି ପ୍ରଥମେ ଭାରତୀୟ ହକି ଦଳକୁ ଭେଟିଥିଲେ । ଖେଳାଳିମାନେ ତାଙ୍କୁ ନିଜର ପଦକ ଦେଖାଇଥିଲେ । ଏହିପରି ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କୁ ମଧ୍ୟ ପିଏମ୍ ମୋଦି ଭେଟିଥିଲେ । ପରେ ସେ ଅମନ ସହରାୱତ ଓ ସ୍ୱପ୍ନିଲ କୁସାଲେଙ୍କୁ ଭେଟିଥିଲେ । ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ ସେନଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ ।

ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ପ୍ୟାରିସ୍ ଅଲିମ୍ପିକ୍ସ ଆୟୋଜିତ ହୋଇଥିଲା । ପ୍ୟାରିସ୍ ଯାଇଥିବା ଭାରତୀୟ ଦଳରୁ ଅଧିକାଂଶ ଆଥଲେଟ ଫେରି ଆସିଛନ୍ତି । ସ୍ୱଦେଶ ଫେରିବା ପରେ ଖେଳାଳିମାନଙ୍କୁ ସ୍ୱାଗତ କରାଯାଇଥିଲା । ଏବେ ଖେଳାଳିମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ଭେଟିଛନ୍ତି, ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଭାରତ ପ୍ୟାରିସ୍ରୁ ୬ ପଦକ ପାଇଥିବାବେଳେ ଅନ୍ୟ କେତେକ ଇଭେଣ୍ଟରେ ଅଳ୍ପକେ ବଞ୍ଚତ୍ତ ହୋଇଛି। ପଦକର ନିକଟତର ହୋଇ ଅଧଡଜନେରୁ ଊର୍ଦ୍ଧ୍ୱ ଭାରତୀୟ ପ୍ରତିଯୋଗୀ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୁରୁଷ ୧୦ ମିଟର ଏୟାର ରାଇଫଲ ଶୁଟିଂରେ ଅର୍ଜୁନ ବବୁତା, ମିକ୍ସଡ ଟିମ୍ ଆର୍ଚେରୀ ଇଭେଣ୍ଟରେ ଧୀରଜ ବୋମ୍ମାଦେଭରା ଓ ଅଙ୍କିତା ଭକତ, ମହିଳା ୨୫ ମିଟର ପିସ୍ତଲରେ ମନୁ ଭାକର, ପୁରୁଷ ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନରେ ଲକ୍ଷ୍ୟ ସେନ୍, ଶୁଟିଂର ମିକ୍ସଡ ଟିମ୍ ସ୍କେଟ୍ ଇଭେଣ୍ଟରେ ଅନନ୍ତଜିତ ସିଂ ଓ ମାହେଶ୍ୱରୀ ଚୌହାନ ଏବଂ ୪୯ କେଜି ମହିଳା ଭାରୋତ୍ତୋଳନରେ ମୀରାବାଈ ଚାନୁ। ମହିଳା ୨୫ ମିଟର ପିସ୍ତଲରେ ପଦକ ଜିତିଥିଲେ ଗୋଟିଏ ଅଲିମ୍ପିକ୍ସରେ ୩ଟି ପଦକ ହାସଲରେ ବିରଳ ଭାରତୀୟ ରେକର୍ଡର ଅଧିକାରୀ ହୋଇଥାନ୍ତେ ମନୁ ଭାକର।












Click it and Unblock the Notifications