'ଯେତେ ଚାପ ପଡ଼ିଲେ ବି ନଇଁବୁନି'
ଆସନ୍ତା ବୁଧବାରଠାରୁ ଭାରତ ଉପରେ ଆମେରିକା ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଯାଉଛି। ଏହା ପୂର୍ବରୁ ଆମେରିକାକୁ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେତେ ଚାପ ପଡ଼ିଲେ ବି ଆମେ ନଇଁବୁ ନାହିଁ। ତାହାର ମୁକାବିଲା କରିବା ଲାଗି ଆମେ ନିଜ ସହ୍ୟ କରିବା କ୍ଷମତା ବଢ଼ାଇବୁ। ଅର୍ଥନୈତିକ ସ୍ବାର୍ଥପର ନୀତିକୁ ସାରା ଦୁନିଆ ଦେଖୁଛି। ଏଭଳି ପଦକ୍ଷେପ ବିରୋଧରେ ଭାରତ ସବୁବେଳେ ଠିଆ ହେବ ଓ ନାଗରିକମାନଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବ ବୋଲି ସେ କହିଛନ୍ତି।
ଛୋଟ ଦୋକାନୀ, ଚାଷୀ, ଗୋପାଳକ ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସମ୍ବୋଧିତ କରି ମୋଦୀ କହିଥିଲେ ଯେ ମୁଁ ଗାନ୍ଧୀଙ୍କ ଭୂମିରୁ ଆପଣମାନଙ୍କୁ ପୁଣି ଥରେ ପ୍ରତିଶ୍ରୁତି ଦେଉଛି ଯେ ମୋଦୀ ପାଇଁ ଆପଣମାନଙ୍କ ସ୍ବାର୍ଥ ହିଁ ସର୍ବୋପରି। ମୋ ସରକାର ଆପଣମାନଙ୍କୁ କୌଣସି କ୍ଷତି ସହିବାକୁ ଦେବନାହିଁ। ଏହା ପୂର୍ବରୁ ସ୍ବାଧୀନତା ଦିବସ ଅଭିଭାଷଣରେ ମଧ୍ୟ ସେ ଚାଷୀ ଓ ମତ୍ସ୍ୟଜୀବୀମାନଙ୍କ ସହ ଦୃଢ଼ ପାଚେରୀ ଭାବେ ଠିଆ ହୋଇଥିବା କହିଥିଲେ। ଏଥି ସହିତ ସ୍ବଦେଶୀ ଉତ୍ପାଦ ବ୍ୟବହାର କରିବା ଲାଗି ସେ ଆହ୍ବାନ ଦେଇଛନ୍ତି। ସେ କହିଲେ, ଅଗକୁ ନବରାତ୍ରୀ, ଦଶହରା, ଧନତେରସ୍, ଦୀପାବଳି ଆସୁଛି। ତେଣୁ ଦୋକାନ ସାମ୍ନାରେ ସ୍ବଦେଶୀ ସାମଗ୍ରୀ ବିକ୍ରି ହେଉଥିବା ଲେଖି ବଡ଼ ବଡ଼ ବୋର୍ଡ ଝୁଲାଇବାକୁ ମୋଦୀ ପରାମର୍ଶ ଦେଇଥିଲେ। ବିଦେଶରୁ ଆସୁଥିବା ଜିନିଷ ବିକ୍ରି ଠାରୁ ଦୂରେଇ ରହିବାକୁ ଦୋକାନୀମାନଙ୍କୁ କହିଥିଲେ।

ରୁଷ୍ଠାରୁ ତେଲ କିଣୁଥିବାରୁ ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଫଳରେ ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥି ସହିତ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା ମଧ୍ୟ ବନ୍ଦ କରିଦେଇଛନ୍ତି। ଅପରେସନ ସିନ୍ଦୂର ସମୟରେ ଯୁଦ୍ଧ ବନ୍ଦ କରାଇଥିବା କହି ସେ ବାରମ୍ବାର ଶ୍ରେୟ ନେବା ଏବଂ ଭାରତର ପ୍ରତିଷ୍ଠାକୁ ଗୌଣ କରିବାକୁ ଉଦ୍ୟମ କରୁଛନ୍ତି। ତାଙ୍କର ସେହି ଚାପ କୌଣଳ ଆଗରେ କିନ୍ତୁ ସରକାର ମୁଣ୍ଡ ନୁଆଉଁନାହାନ୍ତି।












Click it and Unblock the Notifications