ମୋଦି ସରକାର ପାଇଁ ନୀତୀଶ, ଚନ୍ଦ୍ରବାବୁ ଦେଲେ ସମର୍ଥନ ପତ୍ର
ନୂଆଦିଲ୍ଲୀ : ଆଜି ଏନଡିଏର ସହଯୋଗୀ ଦଳର ଶୀର୍ଷ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏକୁ ପୂର୍ଣ୍ଣ ସମର୍ଥନ ଦେଇ କହିଛନ୍ତି ଯେ ବିଳମ୍ବ ନକରି କେନ୍ଦ୍ରରେ ସରକାର ଗଠନ ହେବା ଉଚିତ ।

ନୀତୀଶ କୁମାରଙ୍କ ଏହି ଘୋଷଣା ପରେ ସମସ୍ତ ରାଜନୈତିକ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କେବଳ ନୀତିଶ ନୁହଁନ୍ତି ଟିଡ଼ପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ବିଜେପିକୁ ସମର୍ଥନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଚିରାଗ ପାଶୱାନଙ୍କ ସମେତ ଏନ୍ଡିଏର ସମସ୍ତ ସହଯୋଗୀ ଉପସ୍ଥିତ ରହିଥିଲେ ।
ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବସନରେ ଏନଡିଏର ବୈଠକ ବସିଥିଲା । ଏଥିରେ ବିଜେପିର ସମସ୍ତ ସହଯୋଗୀ ଦଳ ସାମିଲ ହୋଇଥିଲେ । ତେବେ ସମସ୍ତଙ୍କ ନଜର ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁର ନୀତୀଶ କୁମାରଙ୍କ ଉପରେ ରହିଥିଲା । କାରଣ ଏହି ଦୁଇ ଜଣ ଏବେ କିଙ୍ଗ ମେକର । ଉଭୟଙ୍କ ପାଖରେ ୨୮ଟି ଆସନ ରହିଛି । କାଳେ ଏମାନେ ପଟ ପରିବର୍ତ୍ତନ କରିନେବେ, ସେଥିପାଇଁ ବୈଠକରେ ଉଭୟଙ୍କ ଠାରୁ ମୋଦି ଲିଖିତ ଭାବେ ସମର୍ଥନ ହାସଲ କରିଥିବା ଜଣାପଡ଼ିଛି ।












Click it and Unblock the Notifications