ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ରାଜିଲ୍ର ସର୍ବୋଚ୍ଚ ସମ୍ମାନ ପ୍ରଦାନ, ସମ୍ମାନୀତ କଲେ ବ୍ରାଜିଲ୍ ରାଷ୍ଟ୍ରପତି
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ରାଜିଲ୍ର ସର୍ବୋଚ୍ଚ ସମ୍ମାନ ପ୍ରଦାନ । ବ୍ରାଜିଲ୍ର ସର୍ବୋଚ୍ଚ ସମ୍ମାନ 'ଗ୍ରାଣ୍ଡ କଲାର୍ ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସଦର୍ନ କ୍ରସ୍'ରେ ସମ୍ମାନୀତ ହେଲେ ମୋଦି । ସମ୍ମାନୀତ କଲେ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା । ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ପ୍ରମୁଖ ବିଶ୍ୱ ମଞ୍ଚରେ ଭାରତ-ବ୍ରାଜିଲ ସହଯୋଗ ବୃଦ୍ଧି କରିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମାନକୁ କେବଳ ତାଙ୍କ ପାଇଁ ନୁହେଁ ବରଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଏକ ମହାଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରପତି ମୋତେ ବ୍ରାଜିଲର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବା କେବଳ ମୋ ପାଇଁ ନୁହେଁ ବରଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ରାଷ୍ଟ୍ରପତି ଲୁଲା ଭାରତ-ବ୍ରାଜିଲ ରଣନୈତିକ ସହଭାଗୀତାର ମୁଖ୍ୟ ସ୍ଥପତି । ମୁଁ ଏହି ସମ୍ମାନକୁ ଆମର ବନ୍ଧୁତା ଏବଂ ଭାରତ ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତାକୁ ଉତ୍ସର୍ଗ କରୁଛି । ଆମେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ ବିଲିୟନ ଡଲାରକୁ ନେବା ପାଇଁ ନିଷ୍ପତ୍ତି ନେଇଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲିଆ ଗସ୍ତ ସମୟରେ ତାଙ୍କୁ ମିଳିଥିବା ଭବ୍ୟ ସ୍ୱାଗତ ପାଇଁ ବ୍ରାଜିଲର ରାଷ୍ଟ୍ରପତିଙ୍କ ପ୍ରତି ମଧ୍ୟ ହୃଦୟର ସହିତ କୃତଜ୍ଞତା ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ଏହି ପୁରସ୍କାର ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ସଂରକ୍ଷିତ ଏବଂ ଆନ୍ତର୍ଜାତୀୟ ସମ୍ପର୍କକୁ ସୁଦୃଢ଼ କରିବାରେ ଅନୁକରଣୀୟ ନେତୃତ୍ୱ ଏବଂ ପ୍ରୟାସକୁ ସ୍ୱୀକୃତି ଦେବା ପାଇଁ ବ୍ରାଜିଲ ଦ୍ୱାରା ପ୍ରଦାନ କରାଯାଉଥିବା ସବୁଠାରୁ ପ୍ରତିଷ୍ଠିତ ସମ୍ମାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । 'ଗ୍ରାଣ୍ଡ କଲାର ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସାଉଦର୍ଣ୍ଣ କ୍ରସ୍' ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡ୍ୱିଟ୍ ଡି ଆଇଜନହାୱର, ରାଣୀ ଏଲିଜାବେଥ ଦ୍ୱିତୀୟ ଏବଂ ପୂର୍ବତନ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ନେଲସନ୍ ମାଣ୍ଡେଲାଙ୍କ ଭଳି ବିଶ୍ୱ ନେତାମାନଙ୍କୁ ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ମେ ୨୦୧୪ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ କୌଣସି ବିଦେଶୀ ସରକାର ତାଙ୍କୁ ଏହା ୨୬ତମ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରିଛନ୍ତି ।












Click it and Unblock the Notifications