ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାରତ-ଜାପାନ୍ ବାର୍ଷିକ ସମ୍ମିଳନୀରେ ଯୋଗଦେବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓ ଠାରେ ପଞ୍ଚଦଶ ଭାରତଜାପାନ୍ ବାର୍ଷିକ ସମ୍ମିଳନୀରେ ଯୋଗଦେବେ । ଏଥିଲାଗି ଏକ ଦୁଇଦିନିଆ ଜାପାନ୍ ଗସ୍ତରେ ଯାଇ ଆଜି ସକାଳେ ସେ ଟୋକିଓଠାରେ ପହଞ୍ଚିଛନ୍ତି । ଜାପାନ୍ ପ୍ରଧାନମନ୍ତ୍ରୀ ସିଗେରୁ ଇସିବାଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ଏହି ଗସ୍ତ କରିଛନ୍ତି । ଆଜିର ସମ୍ମିଳନୀରେ ଗତ ୧୧ ବର୍ଷ ମଧ୍ୟରେ ନିରନ୍ତର ଅଭିବୃଦ୍ଧି ହାସଲ କରିଥିବା ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ଭାଗିଦାରୀକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ଏବଂ ବିଭିନ୍ନ କ୍ଷେତ୍ରରେ ଥିବା ଦ୍ୱିପକ୍ଷିୟ ସମ୍ପର୍କର ଅଗ୍ରଗତିର ସମୀକ୍ଷା ତଥା ଏହାକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।
ଜାପାନ୍ ଗସ୍ତ ଶେଷ କରି ସେପ୍ଟେମ୍ବର ୧ ତାରିଖରୁ ଶ୍ରୀ ମୋଦୀ ଦୁଇ ଦିନିଆ ଚୀନ୍ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି । ଗତକାଲି ରାତିରେ ନୂଆଦିଲ୍ଲୀରୁ ପ୍ରସ୍ଥାନ କରିବା ପୂର୍ବରୁ ଏକ ବିବୃତ୍ତି ଦେଇ ଶ୍ରୀ ମୋଦୀ କହିଛନ୍ତି, ତାଙ୍କର ଜାପାନ୍ ଓ ଚୀନ୍ ଗସ୍ତ ଭାରତର ଜାତୀୟ ସ୍ୱାର୍ଥ ଓ ପ୍ରାଥମିକତାକୁ ଗୁରୁତ୍ୱ ଦେବ । ଏତଦ୍ବ୍ୟତୀତ ଏହି ଗସ୍ତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଶାନ୍ତି, ସୁରକ୍ଷା ଓ ନିରନ୍ତର ବିକାଶକୁ ଆଗକୁ ବଢ଼ାଇବାରେ ଫଳପ୍ରଦ ସହଯୋଗ ଗଠନ ଦିଗରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଭାରତ-ଜାପାନ ମଧ୍ୟରେ ଅର୍ଥନୈତିକ ଓ ନିବେଶ ସମ୍ପର୍କ ଏବଂ କୃତ୍ରିମ ବୁଦ୍ଧିମତା ଓ ସେମିକଣ୍ଡକ୍ଟର ସମେତ ଆଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ପର୍କିତ ପରିସରକୁ ସମ୍ପ୍ରସାରିତ କରିବା ଦିଗରେ ତାଙ୍କ ଜାପାନ ପ୍ରତିପକ୍ଷଙ୍କ ସହିତ ସେ ମିଳିତ ଭାବେ ପ୍ରୟାସ କରିବେ ବୋଲି ଶ୍ରୀ ମୋଦୀ କହିଛନ୍ତି । ଏତଦ୍ବ୍ୟତୀତ ଦୁଇ ଦେଶର ଲୋକଙ୍କୁ ସଂଯୋଗ କରୁଥିବା ସଭ୍ୟତାଗତ ବନ୍ଧନ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସଶକ୍ତ କରିବାର ସୁଯୋଗ ଏହି ଗସ୍ତ ମାଧ୍ୟମରେ ପ୍ରାପ୍ତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ନିମନ୍ତ୍ରଣ କ୍ରମେ ତିଆନ୍ଜିନ୍ରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବା ଲାଗି ସେ ଜାପାନ୍ରୁ ଚୀନ୍ ଯାତ୍ରା କରିବେ । ଭାରତ ଏହି ସଂଗଠନର ଏକ ସକ୍ରିୟ ତଥା ଗଠନମୂଳକ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଛି ।
ଏହି ସଂଗଠନର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ମିଳିତ ଭାବେ ଆଞ୍ଚଳିକ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ବିଭିନ୍ନ ଆହ୍ୱାନର ମୁକାବିଲା କରିବା ଦିଗରେ ଭାରତ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏତଦ୍ବ୍ୟତୀତ ଏହି ସମ୍ମିଳନୀ ଅବସରରେ ଶ୍ରୀ ମୋଦୀ ରାଷ୍ଟ୍ରପତି ଶ୍ରୀ ଜିନ୍ପିଙ୍ଗ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସମେତ ଅନ୍ୟାନ୍ୟ
ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ।












Click it and Unblock the Notifications