ଏହି ରାଜ୍ୟ ପାଇଁ ୧୩,୫୦୦ କୋଟିର ପ୍ରକଳ୍ପ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ତେଲଙ୍ଗାନା ଗସ୍ତ କରିଛନ୍ତି । ଏଠାରେ ମହବୁବ ନଗରଠାରେ ଅନେକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ପିଏମ ମୋଦି । ସେଗୁଡିକ ମଧ୍ୟରେ ସଡକ, ରେଳ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଓ ଉଚ୍ଚଶିକ୍ଷା କ୍ଷେତ୍ରମାନ ରହିଛି ।
ନାଗପୁର-ବିଜୟୱାଡା ଆର୍ଥିକ କରିଡର ସମ୍ପର୍କୀତ କେତେକ ପ୍ରମୁଖ ସଡକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ୱରଙ୍ଗଲରୁ ଖମାମ ପର୍ଯ୍ୟନ୍ତ ୧୦୮ କି.ମି. ଦୀର୍ଘ ଚାରିଲେନ ବିଶିଷ୍ଟ ଗ୍ରୀନ ଫିଲ୍ଡ ହାଇୱେ ଏନଏଚ୧୬୩ଜି ଏବଂ ୯୦ କିଲୋମିଟର ଦୀର୍ଘ ଖମାମ-ବିଜୟୱାଡା ସେକ୍ସନର ଏନଏଚ-୧୬୩ଜି ଗ୍ରୀନଫିଲ୍ଡ ହାଇୱେ । ଏହି ସଡକ ପ୍ରକଳ୍ପ ଦ୍ୱୟ ୬୪୦୦କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ଏହି ପ୍ରକଳ୍ପ ସମ୍ପର୍ଣ୍ଣ ହେଲେ ୱାରଙ୍ଗଲ ଓ ଖମାମ୍ ମଧ୍ୟରେ ଦୂରତା ୧୪କିଲୋମିଟର ଏବଂ ଖମାମ ଓ ବିଜୟୱାଡା ମଧ୍ୟରେ ଦୂରତା ୨୭କିଲୋମିଟର ହ୍ରାସ ପାଇବ ।

ପ୍ରଧାନମନ୍ତ୍ରୀ ମଧ୍ୟ ସୂର୍ଯ୍ୟପେଟରୁ ଖମାମ ସେକ୍ସନର ଏନଏଚ ୩୬୫ବିବିର ୫୯ କିଲୋମିଟର ଦୀର୍ଘ ଚାରିଲେନ ଯୁକ୍ତ ରାସ୍ତାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ୨୪୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ହାଇଦ୍ରାବାଦ-ବିଶାଖାପାଟଣା କରିଡର ଓ ଭାରତମାଳା ପରିଯୋଜନା ଅଧୀନରେ ବିକଶିତ ହୋଇଛି । ଏହା ଦ୍ୱାରା ଖମାମ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳକୁ ଉତ୍ତମ ଯୋଗାଯୋଗ ସମ୍ଭବ ହେବ ।
ଏହି ଅବସରରେ ପିଏମ ମୋଦି କହିଛନ୍ତି, ''ତେଲେଙ୍ଗାନାରେ ଅନେକ ମହତ୍ବପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି। ଏହାଦ୍ବାରା ଏଠିକାର ଉତ୍ସବର ରଙ୍ଗ ଆହୁରି ଖେଳି ଉଠିବ। ତେଲେଙ୍ଗାନାର ଲୋକଙ୍କ ପାଇଁ ୧୩୫୦୦ କୋଟି ଟଙ୍କାର ଯୋଜନା, ଭିନ୍ନ ଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଉଛି। ଏଭଳି ଅନେକ ରେଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ଯାହାଦ୍ବାରା ଏଠିକାର ଲୋକଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବ। ଏହାଫଳରେ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟକୁ ଯାଆସ ସହଜ ହେବ।''
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଦେଶର ଅନେକ ପ୍ରମୁଖ ଅର୍ଥନୀତିକ କରିଡର ତେଲଙ୍ଗାନାରୁ ହୋଇ ଯାଉଛି। ଏହି କରିଡର ତେଲଙ୍ଗାନାର ବିକାଶରେ ଅନେକ ସହଯୋଗ କରିବେ। ଭାରତ ହଳଦୀ ଉତ୍ପାଦକ ଏବଂ ରପ୍ତାନୀକାରୀ ଦେଶ। ତେଲଙ୍ଗାନାର ଚାଷୀ ମଧ୍ୟ ବଡ଼ ଆକାରରେ ହଳଦୀ ଉତ୍ପାଦନ କରିଥାନ୍ତି। କରୋନା ପରେ ହଳଦୀକୁ ନେଇ ସଚେତନତା ମଧ୍ୟ ବଢ଼ିଛି। କେନ୍ଦ୍ର ସରକାର ହଳଦୀ ଚାଷୀଙ୍କ ହିତ ପାଇଁ ନାସନାଲ ଟର୍ମରିକ ବୋର୍ଡ ଗଠ ନର ନିର୍ଣ୍ଣୟ କରିଛନ୍ତି ।












Click it and Unblock the Notifications