ଗ୍ରାମୀଣ ଭାରତ ମହୋତ୍ସବ-୨୦୨୫କୁ କଲେ ଉଦ୍ଘାଟନ, କହିଲେ”ଗାଁ ବିକାଶ ହେଲେ, ଦେଶର ବିକାଶ ହେବ”
ଗ୍ରାମାଞ୍ଚଳର ଅଭିବୃଦ୍ଧି ଏବଂ ଏହାକୁ ସଶକ୍ତ କରିବା ପାଇଁ ସରକାରଙ୍କ ଦୃଷ୍ଟିକୋଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ନୂଆଦିଲ୍ଲୀଠାରେ ଆଜି ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫କୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗ୍ରାମବାସୀଙ୍କୁ ସମ୍ମାନଜନକ ଜୀବନ ଅତିବାହିତ କରିବାର ପ୍ରାଥମିକତା ସରକାର ପ୍ରଦାନ କରିବା ପାଇଁ ପଦକ୍ଷେପ ନେଇଛନ୍ତି ।
ପ୍ରତ୍ୟେକ ଗାଁରେ ମୌଳିକ ସୁବିଧା ସୁଯୋଗକୁ ସୁନିଶ୍ଚିତ କରିବା ପାଇଁ ଏକ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ଗ୍ରାମାଞ୍ଚଳକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଅଧୀନରେ ୩ ଲକ୍ଷ କୋଟି ଟଭ୍କା ସହାୟତା ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନ ସମେତ ସରକାରଙ୍କ ସମସ୍ତ ପଦକ୍ଷେପ ଗ୍ରାମାଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ।

ଦେଢ଼ଲକ୍ଷରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାଧ୍ୟମରେ ଲୋକମାନେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି । ଡିଜିଟାଲ୍ ଜ୍ଞାନକୌଶଳ ସହାୟତାରେ ଦେଶର ଶ୍ରେଷ୍ଠ ଡାକ୍ତର ଏବଂ ହସ୍ପିଟାଲ ଗୁଡ଼ିକ ସହ ଗ୍ରାମାଞ୍ଚଳକୁ ଯୋଡ଼ାଯାଇ ପାରିଛି । ଫଳରେ ଗ୍ରାମବାସୀ ଟେଲିମେଡିସନ୍ର ସୁବିଧା ପାଇପାରୁଛନ୍ତି । ଗତ ୧୦ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଗ୍ରାମୀଣ ଜନସଂଖ୍ୟାର ପ୍ରତ୍ୟେକ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ ଲାଗି ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି
ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାକୁୂ ଆଉ ୧ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ୍ ଇତିମଧ୍ୟରେ ଅନୁମୋଦନ କରିଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି । ଏହିଭଳି ମହୋତ୍ସବ ଭାରତରେ ଗ୍ରାମୀଣ ବିକାଶ ଯାତ୍ରାକୁ ପ୍ରତିପାଦନ କରୁଛି । ଏଭଳି ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ' ନାବାର୍ଡ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଭାରତମଣ୍ଡପମ୍ ଠାରେ ଚାଲିଥିବା ଏହି ମହୋତ୍ସବର ଶୀର୍ଷକ ରହିଛି ୨୦୪୭ ବିକଶିତ ଭାରତ ଗଠନ ପାଇଁ ସଶକ୍ତ ଗ୍ରାମୀଣ ବ୍ୟବସ୍ଥା ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଗରିବ, କୃଷକ, ଯୁବବବର୍ଗ ଏବଂ ମହିଳାଙ୍କ କଲ୍ୟାଣ ଓ ଆର୍ଥିକ ସଶକ୍ତିକରଣ ଦିଗରେ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ମହୋତ୍ସବରେ ଆଦିବାସୀ ଏବଂ ଉତ୍ତର-ପୂର୍ବାଞ୍ଚଳର ଉତ୍ପାଦଗୁଡ଼ିକୁ ନେଇ ପ୍ରଦର୍ଶନୀ ମଣ୍ଡପମାନ ଖୋଲାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ବିଭିନ୍ନ କ୍ଷେତ୍ରର ସରକାରୀ ଅଧିକାରୀ, ଗ୍ରାମୀଣ ଉଦ୍ୟୋଗୀ, କାରିଗର ଏବଂ ଅଂଶୀଦାରମାନଙ୍କୁ ଏକାଠୀ କରି ସହଯୋଗୀ ଓ ସାମୂହିକ ଗ୍ରାମୀଣ ପରିବର୍ତ୍ତନ ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବ । ଉତ୍ତର-ପୂର୍ବ ଭାରତ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବା ସହ ଗ୍ରାମବାସୀଙ୍କ ମଧ୍ୟରେ ଅର୍ଥନୈତିକ ସ୍ଥିରତା ଓ ଆର୍ଥିକ ନିରାପତ୍ତାକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏହି ମହୋତ୍ସବ ବିଶେଷ ସହାୟକ ହେବ । ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।












Click it and Unblock the Notifications