ଚୀନ୍ ରାଷ୍ଟ୍ରପତି ଷି.ଜିନ୍ପିଙ୍ଗ୍ଙ୍କ ସହିତ ୫୦ ମିନିଟ୍ ଧରି ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି
ଋଷରେ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆଜି ଭେଟଘାଟ୍ ହୋଇଛି। ଦୀର୍ଘ ୫ ବର୍ଷ ପରେ ପରସ୍ପରକୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦି ଓ ଜିନପିଙ୍ଗ। ୨୦୧୯ରେ ଶେଷ ଥର ପାଇଁ ଏହି ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।
ସେହିପରି ୨୦୨୦ ଗଲୱାନ ସଂଘର୍ଷ ପରେ ଉଭୟ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ଆଜି ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଏହା ପରେ ଯଦିଓ ୨୦୨୨ ଏବଂ ୨୦୨୩ରେ ଦୁଇ ନେତାଙ୍କ ମଧ୍ୟରେ ସଂକ୍ଷିପ୍ତ ସାକ୍ଷାତ ହୋଇଥିଲା କିନ୍ତୁ ବ୍ରିକ୍ସ ସମ୍ମିଳନୀ ଅବସରରେ ଦୁହେଁ ପ୍ରାୟ ୫୦ ମିନିଟ ଧରି କଥାବାର୍ତ୍ତା ହୋଇଛନ୍ତି ।
ଭାରତ ଓ ଚୀନ୍ ମଧ୍ୟରେ ଥିବା ମତଭେଦ ଓ ବିବାଦକୁ ସଠିକ୍ ପରିଚାଳନା କରିବା ସହିତ ଶାନ୍ତି ବାଜାୟ ରଖିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି । କାଜାନ୍ଠାରେ ଅନୁଷ୍ଠିତ ଷୋଡ଼ଶ ବ୍ରିକ୍ସ ସମ୍ମିଳନୀ ଅବସରରେ ଚୀନ୍ ରାଷ୍ଟ୍ରପତି ଷି. ଜିନ୍ପିଙ୍ଗ୍ଙ୍କ ସହିତ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି ।

ଏହି ବୈଠକ ଅବସରରେ ଭାରତ-ଚୀନ୍ ସୀମା ବିବାଦ ସମ୍ପର୍କିତ ସ୍ୱତନ୍ତ୍ର ପ୍ରତିନିଧିମାନେ ଖୁବ୍ଶୀଘ୍ର ଏକ ବୈଠକରେ ଯୋଗଦେବା ସହିତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ ନେତା ସମ୍ମତି ପ୍ରଦାନ କରିଛନ୍ତି । ଏଥିସହିତ ଏହି ପ୍ରତିନିଧିମାନେ ସମ୍ପୃକ୍ତ ସୀମା ବିବାଦର ଏକ ନ୍ୟାୟପୂର୍ଣ୍ଣ ତଥା ପାସ୍ପରିକ ଗ୍ରହଣୀୟ ସମାଧାନର ପନ୍ଥା ନିର୍ଣ୍ଣୟ କରିବେ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି । ଭାରତ ଓ ଚୀନ୍ ମଧ୍ୟରେ ଏକ ସ୍ଥିର ତଥା ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପକ୍ଷୀୟ ସମ୍ପର୍କ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଶାନ୍ତି ଓ ସମୃଦ୍ଧି ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ମୋଦି ଓ ଜିନ୍ପିଙ୍ଗ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଭାରତ-ଚୀନ ଦ୍ୱିପକ୍ଷୀୟ ସମ୍ପର୍କକୁ ରଣନୀତିକ ତଥା ଦୀର୍ଘମିଆଦି ଦୃଷ୍ଟିକୋଣରୁ ଅଗ୍ରଗତି କରିବା ସହିତ ପାରସ୍ପରିକ ଯୋଗାଯୋଗକୁ ବୃଦ୍ଧି କରିବା ଏବଂ ବିକାଶମୂଳକ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ଆପୋଷ ସହଯୋଗ ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି । ଦୁଇଦେଶ ମଧ୍ୟରେ ସୀମା ପ୍ରସଙ୍ଗରେ ଉପୁଜିଥିବା ସମସ୍ୟାର ସମାଧାନ ଦିଗରେ ସମ୍ପ୍ରତି ହୋଇଥିବା ଚୁକ୍ତିନାମାକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସୀମାରେ ଶାନ୍ତି ବଜାୟ ରଖିବା ସହିତ ପାରସ୍ପରିକ ବିଶ୍ୱାସ, ସମ୍ମାନ ଓ ସମ୍ବେଦନଶୀଳତା' ଭାରତ-ଚୀନ ସମ୍ପର୍କର ଆଧାର ହେବା ଉଚିତ ।
ଏଥିସହିତ ଉଭୟ ଦେଶ ଖୋଲ ହୃଦୟରେ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଆଲୋଚନା କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେଇ ଉଭୟ ପକ୍ଷ ଲାଗି ବିଭିନ୍ନ କ୍ଷେତ୍ରରେ ଯୋଗାଯୋଗକୁ ଅଧିକ ସଶକ୍ତ କରିବା ଉପରେ ଶ୍ରୀ ଜିନ୍ପିଙ୍ଗ୍ ଗୁରୁତ୍ୱାରୋପ କରିଛନ୍ତି । ଏତଦ୍ବ୍ୟତୀତ ଦୁଇଦେଶ ମଧ୍ୟରେ ଥିବା ବିଭିନ୍ନ ପ୍ରସଙ୍ଗରେ ମତଭେଦ ତଥା ପାର୍ଥକ୍ୟଗୁଡ଼ିକୁ ସଠିକ୍ ଭାବେ ପରିଚାଳନା କରିବା ଏବଂ ପରସ୍ପରର ବିକାଶ ଆକାଂକ୍ଷାକୁ ସମ୍ମାନର ସହ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି ।












Click it and Unblock the Notifications