ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ମୋଦି: ପଞ୍ଜୀକରଣ ହୋଇଛନ୍ତି ୨ କୋଟିରୁ ଅଧିକ ଛାତ୍ରଛାତ୍ରୀ
ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ଆଜି ଅନୁଷ୍ଠିତ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ପରୀକ୍ଷା ପେ ଚର୍ଚ୍ଚା'(ପିପିସି) କାର୍ଯ୍ୟକ୍ରମ । 'ପରୀକ୍ଷା ପେ ଚର୍ଚ୍ଚା' ହେଉଛି ପରୀକ୍ଷା ସହ ଜଡ଼ିତ ଚାପକୁ ଦୂର କରିବା ଏବଂ 'ଏଗଜାମ୍ ଓ୍ୱାରିୟର୍ସ'ଙ୍କ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ନିଆରା ପଦକ୍ଷେପ ।
ପରୀକ୍ଷାର ଚାପକୁ ମୁକ୍ତ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ନେବା ପାଇଁ ପରୀକ୍ଷାର୍ଥୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବା ପାଇଁ ଲୋକଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଛି ।
ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି, ଯେଉଁଥିରେ ବିଗତ ୬ ବର୍ଷ ଧରି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ସଫଳତାର ସହ ସାମିଲ କରାଯାଉଛି ।

ସପ୍ତମ ସଂସ୍କରଣ ପାଇଁ 'ମାଇଁ ଗଭ' ପୋର୍ଟାଲରେ ରେକର୍ଡସଂଖ୍ୟକ ୨.୨୬ କୋଟି ପଞ୍ଜିକରଣ କରିଛନ୍ତି, ଯାହା ଦେଶର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ଉତ୍ସାହକୁ ଦର୍ଶାଉଛି । ଏଥିରେ କଳା ମହୋତ୍ସବର ବିଜେତାଙ୍କ ସହ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨ ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ଆଲୋଚନା କାର୍ଯ୍ୟକ୍ରମରେ ଉପସ୍ଥିତ ହେବା ପାଇଁ ନିମନ୍ତ୍ରଣ କରାଯାଇଛି । ପ୍ରଥମ ଥର ପାଇଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ।
ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜାନୁଆରୀ ୧୨ରୁ ଜାନୁଆରୀ ୨୩ ପର୍ଯ୍ୟନ୍ତ ବିଭିନ୍ନ ସ୍କୁଲରେ ମାରାଥନ ଦୌଡ, ସଙ୍ଗୀତ ଭଳି କାର୍ଯ୍ୟକ୍ରମମମାନ ଆୟୋଜନ ହୋଇଥିଲା । ଜାନୁଆରୀ ୨୩ ରେ ୭୭୪ ଜିଲ୍ଲାରେ ୬୫୭ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ୧୨୨ ନବୋଦୟ ବିଦ୍ୟାଳୟରେ 'ଏଗଜାମ ଓ୍ୱାରିୟର୍ସ' ପୁସ୍ତକରେ ପରୀକ୍ଷା ମନ୍ତ୍ର ସହ ଜଡ଼ିତ ଏକ ଚିତ୍ରକଳା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା, ଯେଉଁଥିରେ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।












Click it and Unblock the Notifications