ଇନ୍ଦିରାଙ୍କ ଭୁଲ୍ ପାଇଁ ପାକ୍ ହେଲା ପରମାଣୁ ରାଷ୍ଟ୍ର: ପୂର୍ବତନ ସିଆଇଏ ଅଧିକାରୀଙ୍କ ବୟାନ
ଭାରତର ଗୋଟିଏ ଭୁଲ୍ ନିଷ୍ପତ୍ତି ପାଇଁ କିଭଳି ପାକିସ୍ତାନ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ରରେ ପରିଣତ ହେଲା ସେନେଇ ସିଆଇଏର ପୂର୍ବତନ ପରମାଣୁ ପ୍ରତିରୋଧ ଅଧିକାରୀ ରିଚାର୍ଡ ବାର୍ଲୋ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି। ସେ କହିଛନ୍ତି ଯେ ଅଶି ଦଶକରେ ପାକିସ୍ତାନର ଗୁପ୍ତ ପରମାଣୁ କାର୍ଯ୍ୟକ୍ରମର ମୁଖ୍ୟକେନ୍ଦ୍ର କାହୁତା ଉପରେ ଭାରତ ଓ ଇସ୍ରାଏଲର ମିଳିତ ବିମାନ ଆକ୍ରମଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା, କିନ୍ତୁ ସେତେବେଳେ ଭାରତ ଚାପର ସମ୍ମୁଖୀନ ହୋଇ ଏହି ସୁଯୋଗକୁ ହାତଛଡ଼ା କରିଥିଲା। ଏଏନ୍ଆଇକୁ ଦେଇଥିବା ଏକ ସାକ୍ଷାତକାରରେ ବାର୍ଲୋ କହିଛନ୍ତି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଯଦି ସୁଯୋଗ ହାତଛଡ଼ା କରିନଥାନ୍ତେ ତା'ହେଲେ ଦକ୍ଷିଣ ଏସିଆ ଏବଂ ବିଶ୍ୱ ସୁରକ୍ଷା ପରିସ୍ଥିତି ଏବେ ଭିନ୍ନ ହୋଇଥାନ୍ତା।

କାହୁତାରେ ପାକିସ୍ତାନର ପରମାଣୁ ପ୍ରତିଷ୍ଠାନ ବୈଜ୍ଞାନିକ ଏ.କ୍ୟୁ. ଖାନ୍ଙ୍କ ନେତୃତ୍ୱରେ ପରିଚାଳିତ ହେଉଥିଲା ଏବଂ ଏହା ପାକ୍ ୟୁରାନିୟମ ସମୃଦ୍ଧୀକରଣ ପ୍ରୟାସର କେନ୍ଦ୍ରବିନ୍ଦୁ ଥିଲା। ଭାରତ ଏହି କେନ୍ଦ୍ରକୁ ଧ୍ବଂସ କରିବା ନିଷ୍ପତ୍ତିରୁ ଓହରିଯିବା ପରେ ଏହି କେନ୍ଦ୍ରରୁ ପାକ୍ ପରିମାଣୁ କାର୍ଯ୍ୟକ୍ରମ ସଂପ୍ରସାରିତ ହୋଇଥିଲା। ପରବର୍ତ୍ତୀ ସମୟରେ ପାକିସ୍ତାନର ପରମାଣୁ ପରୀକ୍ଷଣ ଏବଂ ଇରାନ ପରି ଦେଶମାନଙ୍କୁ ପ୍ରଯୁକ୍ତିବିଦ୍ୟା ଯୋଗାଣ କରୁଥିବା ଏକ ପ୍ରସାର ନେଟ୍ୱର୍କରେ ପରିଣତ ହୋଇଥିଲା। ବାର୍ଲୋ ପ୍ରକାଶ କରିଛନ୍ତି ଯେ ଏହି ସ୍ଥାନକୁ ଧ୍ୱଂସ କରିବା ପାଇଁ ଭାରତ ଓ ଇସ୍ରାଏଲର ମିଳିତ ଅଭିଯାନ ପାଇଁ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା, କିନ୍ତୁ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଏହାକୁ ଅନୁମୋଦନ କରି ନଥିଲେ। ସୋଭିଏତ-ଆଫଗାନ ଯୁଦ୍ଧ (୧୯୭୯-୧୯୮୯) ସମୟରେ ପାକିସ୍ତାନ ଆମେରିକାର ଏକ ପ୍ରମୁଖ ସହଯୋଗୀ ଥିଲା। ଆଫଗାନ ମୁଜାହିଦ୍ଦିନ ଯୋଦ୍ଧାଙ୍କୁ ଅସ୍ତ୍ରଶସ୍ତ୍ର ଓ ତାଲିମ ଯୋଗାଇବା ପାଇଁ ଆମେରିକା ବିଲିୟନ ଡଲାରର ଗୁପ୍ତ ସହାୟତା ପ୍ରଦାନ କରୁଥିଲା। ସେତେବେଳେ ରେଗାନ ପ୍ରଶାସନ ଏହି ରଣନୀତିକ ସହଯୋଗକୁ ବଜାୟ ରଖିବା ପାଇଁ ପାକିସ୍ତାନର ପରମାଣୁ କାର୍ଯ୍ୟକୁ ଉପେକ୍ଷା କରିଥିଲା। ପାକିସ୍ତାନ ଏହାର ପ୍ରଚୁର ଲାଭ ଉଠାଇଥିଲା ଏବଂ ତାହାର ପରିଣାମ ଏବେ ବିଶ୍ବ ଦେଖୁଛି। ସେତେବେଳେ ଇନ୍ଦିରା ଗାନ୍ଧୀଙ୍କ ନିଷ୍ପତ୍ତି, ସମ୍ଭବତଃ କୂଟନୈତିକ ପ୍ରତିକ୍ରିୟା କିମ୍ବା ଆଞ୍ଚଳିକ ଉତ୍ତେଜନାର ଆଶଙ୍କା ଭିତରେ ପ୍ରଭାବିତ ହୋଇଥିଲା ।












Click it and Unblock the Notifications