୨୪ ଅଗଷ୍ଟ ପର୍ଯ୍ୟନ୍ତ ଭାରତୀୟ ବିମାନ ସେବା ଉପରେ ରୋକ୍ ଲଗାଇଲା ପାକିସ୍ତାନ
ପାକିସ୍ତାନ ଏୟାରପୋର୍ଟ ଅଥରିଟି ଭାରତୀୟ ଏୟାରସ୍ପେସ୍ ଉପରେ ପ୍ରତିବନ୍ଧକ ଲଗାଇଛି । ଭାରତୀୟ ଏୟାରସ୍ପେସ୍ ଉପରେ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗୁ ଘୋଷଣା କରିଛି PAA । ଭାରତୀୟ ବିମାନର ସମସ୍ତ ଉଡାଣ ସେବା ଉପରେ ପ୍ରତିବନ୍ଧକ ଲଗାଇବା ସହିତ ସାଧାରଣ ନାଗରିକ ଏବଂ ସୈନ୍ୟମାନଙ୍କ ପାଇଁ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏହି ପ୍ରତିବନ୍ଧକ ଜୁଲାଇ ୧୮ ତାରିଖ ଶୁକ୍ରବାର ଦିନ ୩.୫୦ ଠାରୁ ୨୪ ଅଗଷ୍ଟ ରବିବାର ସକାଳ ୫.୧୯ ପର୍ଯ୍ୟନ୍ତ ଲାଗୁ ରହିବ । ଆପଣଙ୍କୁ କହି ରଖୁଛୁ ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଉଭୟ ଦେଶ ପରସ୍ପର ଏୟାରସ୍ପେସ୍ ସେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଏପଟେ ଭାରତ ମଧ୍ୟ ପାକିସ୍ତାନର ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛି । ଯାହାର ସେବାକୁ ଭାରତ ମଧ୍ୟ ୨୪ ଜୁଲାଇ ପର୍ଯ୍ୟନ୍ତ ବନ୍ଦ କରିଦେଇଛି । ୨୨ ଏପ୍ରିଲରେ ହୋଇଥିବା ପହଲଗାମ ଆକ୍ରମଣ ଜବାବରେ ଏହି କଟକଣା ଲାଗୁ କରାଯାଇଥିଲା । ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଭାରତୀୟ ବିମାନ ଉଡାଣ ସେବା ଉପରେ ଏପ୍ରିଲ ୨୪ ଯାଏଁ ପ୍ରତିବନ୍ଧକ ଲଗାଇଥିଲା । ଭାରତ ମଧ୍ୟ ଏପ୍ରିଲ ୩୦ ପର୍ଯ୍ୟନ୍ତ ପାକିସ୍ତାନର ବିମାନ ଉଡାଣ ସେବାକୁ ବନ୍ଦ କରିଦେଇଥିଲା । ସେହି ସମୟ ପରଠାରୁ ଦୁଇ ଦେଶ ମଧ୍ୟରେ ଏୟାରସ୍ପେସ୍ ବନ୍ଦ ରହିଛି ।
ଅନ୍ୟପଟେ ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସଶସ୍ତ୍ର ବାହିନୀ 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଥିଲେ । ଏହି ଅଭିଯାନ ମାଧ୍ୟମରେ ମେ ୬ ଏବଂ ୭ ରାତିରେ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ସେହି ପରିସ୍ଥିତି ପରଠାରୁ ଉଭୟ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନ ଦ୍ୱାରା ଅନେକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଭାରତ ଉପରେ କରାଯାଇଥିଲା । କିନ୍ତୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏହି ସମସ୍ତ ଆକ୍ରମଣକୁ ବିଫଳ କରିଥିଲା । ବର୍ତ୍ତମାନ, ପାରସ୍ପରିକ ଚୁକ୍ତି ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରିସ୍ଥିତି ରହିଛି ।












Click it and Unblock the Notifications