ପୁଣି ଭାରତକୁ ଖୋଲାଖୋଲି ପରମାଣୁ ବୋମା ଧମକ ଦେଲା ପାକିସ୍ତାନ
ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର୍ ଆଜି ପୁଣି ଭାରତ ବିରୋଧରେ ବିଷୋଦ୍ଗାର କରିଛନ୍ତି । ସେନାର ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁନିର୍ ଭାରତ ବିରୋଧରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ନେଇ ସିଧାସଳଖ ଧମକ ଦେଇଛନ୍ତି । ତାଙ୍କର ଏହି ବୟାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ବଢ଼ାଇଦେଇଛି । ଏହି ଉତ୍ତେଜକ ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଡୁରାଣ୍ଡ ଲାଇନ୍ ସୀମାରେ ସଂଘର୍ଷ ତୀବ୍ର ହେଉଛି ।

ପାକିସ୍ତାନୀ ସେନା ଆଫଗାନ ତାଲିବାନଙ୍କ ଆକ୍ରମଣର ଜବାବରେ ସୀମା ଅଞ୍ଚଳରେ ବୋମା ବର୍ଷା କରୁଥିବା ବେଳେ ଅଚାନକ ମୁନୀର୍ଙ୍କ ଭାରତ ବିରୋଧରେ ପରମାଣୁ ଅସ୍ତ୍ର ବୟାନ ଆଞ୍ଚଳିକ ଅସ୍ଥିରତା ବଢ଼ାଇବ ବୋଲି ଅନେକ ସାମରିକ ବିଶେଷଜ୍ଞ ମତ ରଖିଛନ୍ତି । ମୁନିର୍ ତାଙ୍କ ଭାଷଣରେ ସମ୍ଭାବ୍ୟ ପରମାଣୁ ଯୁଦ୍ଧ ଉପରେ ଆଲୋଚନା କରି ଭାରତକୁ କଠୋର ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, 'ଭାରତ ପକ୍ଷରୁ କୌଣସି ଛୋଟ ଆକ୍ରମଣ ହେଲେ ମଧ୍ୟ ଏଥର ଆମେ ଏପରି ଜବାବ ଦେବୁ ଯାହା ଆକ୍ରମଣକାରୀଙ୍କ ସବୁ ଆକଳନକୁ ପଣ୍ଡ କରିଦେବ । ସେ କହିଛନ୍ତି ଯେ ପାକିସ୍ତାନ ଅସ୍ତ୍ରଶସ୍ତ୍ରର ଆକ୍ରମଣ କ୍ଷମତା, ରେଂଜ୍ ଓ ଧ୍ୱଂସାତ୍ମକ ଶକ୍ତି ଭାରତର ଭୌଗୋଳିକ ସ୍ଥିତିକୁ ଓଲଟପାଲଟ କରିଦେବ ।
ଆମେ ଏପରି ସାମରିକ ଓ ଆର୍ଥିକ କ୍ଷତି ପହଞ୍ଚାଇବୁ ଯାହା ଅସ୍ଥିରତା ସୃଷ୍ଟିକାରୀଙ୍କ କଳ୍ପନାରୁ ବହୁ ଅଧିକ ହେବ ବୋଲି ମୁନିର୍ କହିଛନ୍ତି । ସେ ଯୁଦ୍ଧର ସମ୍ଭାବନା ପାଇଁ ଭାରତକୁ ଦାୟୀ କରି କହିଛନ୍ତି ଯେ ଏପରି କୌଣସି ସଂଘର୍ଷ ସମଗ୍ର ଦକ୍ଷିଣ ଏସିଆ ଓ ଅନ୍ୟ ଅଂଚଳରେ ମଧ୍ୟ ଭୟଙ୍କର ଭୟଙ୍କର ପରିଣାମ ଆଣିପାରେ ।












Click it and Unblock the Notifications