ପାକିସ୍ତାନ ସୂଚନା ମନ୍ତ୍ରୀଙ୍କ ‘ଏକ୍ସ' ଆକାଉଣ୍ଟ ବ୍ୟାନ କଲା ଭାରତ
ମିଳିଲାଣି ସଙ୍କେତ ହେବ କି କିଛି ବଡ କାର୍ଯ୍ୟାନୁଷ୍ଠାନ । ଉଚ୍ଚ ଆକାଶରେ ଲଢୁଆ ବିମାନଙ୍କ ଗର୍ଜନ, ମଝି ସମୁଦ୍ରରେ ଶକ୍ତିଶାଳୀ ଜାହାଜଙ୍କ ଶକ୍ତିପ୍ରଦର୍ଶନ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ପ୍ରତିଶୋଧ ପରାୟଣ ଭାରତ ନିଜକୁ ସବୁଆଡୁ ପ୍ରସ୍ତୁତ ରଖିଛି । ଜଳ,ସ୍ଥଳ,ଆକାଶ ଯେଉଁଠି ଆବଶ୍ୟକ ପଡିବ ସେଠୁ ହୋଇପାରେ ଶତ୍ରୁ ଉପରେ ଆକ୍ରମଣ । ଏନେଇ ୩ସେନାକୁ ସରକାର ପୂର୍ଣ୍ଣ କ୍ଷମତା ଦେଇସାରିଛନ୍ତି । ଏହାପରେ ଭାରତୀୟ ସ୍ଥଳ, ବାୟୁ ଓ ନୌସେନାର ଏବେ ପ୍ରସ୍ତୁତି ପଥରେ ।
ଅନ୍ୟପଟେ ପାକିସ୍ତାନର ଅନେକ ବଡ଼ ବଡ଼ ନେତା ହୁଅନ୍ତୁ ଅବା ସେଲିବ୍ରିଟି , ସେମାନଙ୍କ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କରିଛି ଭାରତ ସରକାର । ଆଉ ଆଜି ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତରାରଙ୍କ ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ୍ କରାଯାଇଛି। ଏକ୍ସ ପ୍ରୋଫାଇଲଲ୍ରୁ ତରାରଙ୍କ ଫଟୋ ଏବଂ କର୍ଭ ଇମେଜ ମଧ୍ୟ ଗାଏବ ହୋଇଯାଇଛି।

ପୂର୍ବରୁ ତରାର ଦାବି କରିଥିଲେ, ପାକିସ୍ତାନ ପାଖରେ ଦୃଢ଼ ଗୋୟଇନ୍ଦା ସୂଚନା ଅଛି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଆଧାରରେ ଭାରତ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ଉପରେ ସାମରିକ ଆକ୍ରମଣ କରିପାରେ। ଯଦି ଭାରତ କୌଣସି ପଦକ୍ଷେପ ନିଏ, ତେବେ ପାକିସ୍ତାନ ମଧ୍ୟ ଚୁପ ବସିବ ନାହିଁ ଏବଂ ଉଚିତ ଜବାବ ଦେବ। ପହଲଗାମ ଆକ୍ରମଣ ପରେ, ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ବ୍ଲକ କରାଯାଉଛି।
ପାକିସ୍ତାନୀ ଅଭିନେତା ମାହିରା ଖାନ, ହାନିଆ ଆମିର, ସନମ ସଇଦ ଏବଂ ଅଲି ଜାଫରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକୁ ବ୍ଲକ କରାଯାଇଛି। ବାବର ଆଜମ, ମହମ୍ମଦ ରିଜୱାନ ଏବଂ ୱାସିମ ଆକ୍ରମଙ୍କ ସମେତ ବର୍ତ୍ତମାନ ଏବଂ ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକୁ ମଧ୍ୟ ବ୍ଲକ କରାଯାଇଛି। ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସରକାରୀ ୟୁଟ୍ୟୁବ ଚ୍ୟାନେଲକୁ ମଧ୍ୟ ବ୍ଲକ କରାଯାଇଛି।
ଏବେ ଚ୍ୟାନେଲରେ କେବଳ ଏହି ସୂଚନା ଦୃଶ୍ୟମାନ ହେଉଛି - ଜାତୀୟ ସୁରକ୍ଷା କିମ୍ବା ସାର୍ବଜନୀନ ଶୃଙ୍ଖଳା ସହିତ ଜଡିତ ସରକାରୀ ନିର୍ଦ୍ଦେଶ ଯୋଗୁ ଏହି ବିଷୟବସ୍ତୁ ଏହି ଦେଶରେ ଉପଲବ୍ଧ ନାହିଁ। ଭାରତ ସରକାର ଅନ୍ୟ ଅନେକ ପାକିସ୍ତାନୀ ରାଜନେତାଙ୍କ ବିରୁଦ୍ଧରେ ମଧ୍ୟ ଏହି ଠୋସ ପଦକ୍ଷେପ ନେଇଛନ୍ତି।












Click it and Unblock the Notifications