'ନୂଆ ସଂସଦ ଭବନ ବାବଦରେ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବିରୋଧୀ'
New Parliamentary Inauguration: ସଂସଦ ଭବନ ବିବାଦରେ ବିରୋଧୀ ଲୋକଙ୍କୁ ମିଛ କହି ଭୂଆଁ ବୁଲାଉଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ । ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସଂସଦର ଆନେକ୍ସ୍ ବିଲ୍ଡିଙ୍ଗ୍କୁ ଉଦ୍ଘାଟନ କରିଥିଲେ । ସେହିପରି ୧୯୮୭ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସଂସଦର ଲାଇବ୍ରେରୀ କୋଠାକୁ ଉଦ୍ଘାଟନ କରିଥିଲେ ।
ସେହିପରି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ୯ବର୍ଷରେ ଛଅଟି ଅଣ-ବିଜେପି ଶାସିତ ରାଜ୍ୟରେ ନୂତନ ବିଧାନସଭାର ଶିଳାନ୍ୟାସ ତଥା ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ସଂସଦ ଭବନକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନ କରିବା ନେଇ ବିରୋଧ କରାଯିବା ପରିପ୍ରେକ୍ଷୀରେ ହିମନ୍ତ ବିଶ୍ବା ଶର୍ମା କହିଛନ୍ତି ଯେ ଯଦି ବିଧାନସଭାର ଉଦ୍ଘାଟନ ରାଜ୍ଯର ସାମ୍ବିଧାନିକ ମୁଖ୍ଯ ରାଜ୍ଯପାଳ କରୁନାହାନ୍ତି, ତେବେ ସଂସଦର ଉଦ୍ଘାଟନ ପ୍ରଧାନମନ୍ତ୍ରୀ କରିବାରେ କେଉଁଠି ଅସୁବିଧା ରହିଲା ? ସେହିପରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ସଂସଦ ଭବନର ଉଦ୍ଘାଟନ ଭଳି ପବିତ୍ର କାର୍ଯ୍ୟରେ ରାଜନୀତି କରିବା ଅନୁଚିତ। ସମସ୍ତେ ଗଣତନ୍ତ୍ରକୁ ସମ୍ମାନ ଦେଇ ଏଥିରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି ।

ଉଲ୍ଲେଖଥାଉ କି, ରାଷ୍ଟ୍ରପତିଙ୍କ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂଆ ସଂସଦ ଭବନ ଉଦଘାଟନ କରାଯିବାକୁ ବିରୋଧ କରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଓ ଅନ୍ୟ ଦଳ ସମେତ ମୋଟ ୧୯ଟି ରାଜନୀତିକ ଦଳ ଏହି ସମାରୋହକୁ ବର୍ଜନ କରିବେ ବୋଲି ଆଜି ମିଳିତ ବିବୃତ୍ତି ଜାରି କରିଛନ୍ତି । ଏହି ସମସ୍ତ ଦଳ ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧୀ ଓ ଏସବୁ ମଧ୍ୟରୁ କିଛି ତୃତୀୟ ସାମ୍ମୁଖ୍ୟ ଗଠନ ପ୍ରୟାସରେ ରହିଛି ।
ଅନ୍ୟପଟେ ଆସନ୍ତା ୨୮ତାରିଖରେ ନୂଆ ସଂସଦ ଭବନର ଉଦଘାଟନ ସମାରୋହରେ ବିଜେଡି ସାମିଲ ହେବ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଦଘାଟନୀ ସମାରୋହରେ ଉପସ୍ଥିତ ରହିବେ । ଏଥି ସହିତ ଦଳର କିଛି ବରିଷ୍ଠ ସାଂସଦ ଏହି ଉଦଘାଟନୀ ସମାରୋହରେ ସାମିଲ ହେବେ । ଆଜି ଏନେଇ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ ରିଲିଜ ଜାରି କରିଛନ୍ତି ।












Click it and Unblock the Notifications