ଏବେ ବି ଜାରି ରହିଛି ‘ଅପରେସନ ସିନ୍ଦୂର’, IAFର ବଡ଼ ସୂଚନା
ଭାରତୀୟ ବାୟୁସେନାର ବଡ଼ ସୂଚନା । ଏବେ ବି ଜାରି ରହିଛି 'ଅପରେସନ ସିନ୍ଦୂର' । ନିଜ କାର୍ଯ୍ୟକୁ ବାୟୁସେନା ସଫଳତାର ସହ ସମାପନ କରିଛି । ସମନ୍ୱିତ ଓ ସୁଚିନ୍ତିତ ଭାବେ ଅପରେସନ ଚାଲିଛି । ନିଜ କାର୍ଯ୍ୟକୁ ବାୟୁସେନା ସଫଳତାର ସହ ସମାପନ କରିଛି । ଅପରେସନ ସିନ୍ଦୂର ଜରିଆରେ ଭାରତୀୟ ବାୟୁସେନା ପାକିସ୍ତାନର ୧୧ଟି ଏୟାରବେସ୍ ନଷ୍ଟ କରିଛି । ଏହାପରେ ବୟାନ ଜାରି କରିଛି ବାୟୁସେନା ।
ଆଇଏଏଫ ଏକ୍ସରେ ଲେଖିଛି, ବାୟୁସେନା (IAF) ଅପରେସନ ସିନ୍ଦୁରରେ ତାର ନ୍ୟସ୍ତ କାର୍ଯ୍ୟଗୁଡ଼ିକୁ ସଠିକତା ଏବଂ ବୃତ୍ତିଗତତା ସହିତ ସଫଳତାର ସହିତ ସମ୍ପାଦନ କରିଛି। ଜାତୀୟ ଉଦ୍ଦେଶ୍ୟ ସହିତ ମିଳିତ ଭାବରେ ଅପରେସନଗୁଡ଼ିକ ଏକ ସୁଚିନ୍ତିତ ଏବଂ ବିଚକ୍ଷଣ ଭାବରେ ସମ୍ପାଦନ କରାଯାଇଥିଲା । ଯେହେତୁ ଅପରେସନଗୁଡ଼ିକ ଏପର୍ଯ୍ୟନ୍ତ ଜାରି ରହିଛି, ତେଣୁ ଏନେଇ ଏକ ବିସ୍ତୃତ ସୂଚନା ଖୁବଶୀଘ୍ର ଦିଆଯିବ। ଏଥିସହିତ ସମସ୍ତଙ୍କୁ ଅନୁମାନ ଏବଂ ଅପ୍ରମାଣିତ ସୂଚନାର ପ୍ରସାରଣରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛି ଆଇଏଏଫ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଛି। ପାକିସ୍ତାନ ସହିତ ଅସ୍ତ୍ରବିରତି ଘୋଷଣା ହେବା ପରେ ଏହି ବୈଠକ ହୋଇଛି। ଏଥିରେ ଯୋଗ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନଏସଏ ଅଜିତ ଡୋଭାଲ, ସିଡିଏସ୍ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟ। ପରିବର୍ତ୍ତିତ ପରିସ୍ଥିତିର ସମୀକ୍ଷା ସହିତ ଆଗାମୀ ରଣନୀତି ନେଇ ଏହି ବୈଠକରେ ଆଲୋଚନା ହୋଇଥିବାର ସୂଚନା ମିଳିଛି। ଅସ୍ତ୍ରବିରତି କରିବା ପାଇଁ ଗତକାଲି ଭାରତ-ପାକିସ୍ତାନ ରାଜି ହୋଇଥିଲେ।

ଏପ୍ରିଲ ୨୨ରେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିଲା ଯୁଦ୍ଧ ପରିସ୍ଥିତି। ପ୍ରବଳ ଉତ୍ତେଜନା ହୋଇଥିଲା। ଡ୍ରୋନ୍ ଆକ୍ରମଣ ହୋଇଥିଲା। ଭାରତର ଆକ୍ରମଣରେ ପାକିସ୍ତାନରେ ଥିବା ବହୁ ଆତଙ୍କବାଦୀ ଶିବିର ଧ୍ଵଂସ ପାଇବା ସହିତ ପରେ କେତେକ ସାମରିକ ଭିତ୍ତିଭୂମି ମଧ୍ୟ ନଷ୍ଟ ହୋଇଥିଲା। କିନ୍ତୁ ପାକିସ୍ତାନର ସମସ୍ତ ଡ୍ରୋନ ଆକ୍ରମଣକୁ ପ୍ରତିହତ କରିଥିଲା ଭାରତ।












Click it and Unblock the Notifications