ସାଢ଼େ ୩ବର୍ଷ ପରେ ତିହାର ଜେଲରୁ ମୁକୁଳିଲେ ସୁଶୀଲ କୁମାର
ତିହାର ଜେଲରୁ ମୁକୁଳିଲେ ଅଲିମ୍ପିକ୍ସ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାର। ଜୁନିଅର ରେସଲର ସାଗର ଧନଖର ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ସୁଶୀଲ କୁମାରଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦୁଇ ଦିନ ପୂର୍ବେ ମଙ୍ଗଳବାର କୁସ୍ତିଯୋଦ୍ଧା ସୁଶୀଲ କୁମାର ହାଇକୋର୍ଟରୁ ଜାମିନ ପାଇଥିଲେ। ଜଷ୍ଟିସ୍ ସଞ୍ଜୀବ ନରୁଲା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।
ତାଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଏବଂ ସମାନ ପରିମାଣର ଦୁଇଟି ଜାମିନଦାର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦିଲ୍ଲୀ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜୁନିଅର ଜାତୀୟ କୁସ୍ତି ଚାମ୍ପିଅନ ସାଗର ଧନଖରଙ୍କ ହତ୍ୟା ସହିତ ଜଡିତ ରହିଛି ଏହି ମାମଲା। ସୁଶୀଲ କୁମାର ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଏକ ସମ୍ପତ୍ତି ବିବାଦକୁ ନେଇ ମେ ୨୦୨୧ରେ ଧନଖରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ଏହି ଆକ୍ରମଣରେ ଧନଖରଙ୍କ ଦୁଇ ବନ୍ଧୁ ମଧ୍ୟ ଆହତ ହୋଇଥିଲେ।ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ଧନଖରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସୁଶୀଲ କୁମାରଙ୍କ ପକ୍ଷରୁ ଓକିଲ ଆରଏସ ମଲିକ ଏବଂ ସୁମିତ ସୌକିନ କହିଥିଲେ ଯେ ଗତ ସାଢ଼େ ତିନି ବର୍ଷ ଧରି ଜେଲରେ ଅଛନ୍ତି ସୁଶୀଲ। ସରକାରୀ ଓକିଲ ୨ ଶହ ଜଣ ସାକ୍ଷୀ ଥିବା କହିଥିବାବେଳେ ମାତ୍ର ୩୧ ଜଣଙ୍କ ସାକ୍ଷଗ୍ରହଣ ହୋଇଛି। ବିଚାର ସମାପ୍ତ ହେବାକୁ ବହୁତ ସମୟ ଲାଗିବ। ଫଳରେ ବିଳମ୍ବ କାରଣରୁ ସୁଶୀଲଙ୍କୁ ରହିତାଦେଶ ଦିଆଯିବା ଉଚିତ।ଏହାର ଶୁଣାଣି କରି ସୁଶୀଲ କୁମାରଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ।.












Click it and Unblock the Notifications