ଓଡ଼ିଶାରେ ହେଉଛି ଦେଶର ଦ୍ବିତୀୟ ଦୀର୍ଘତମ ରେଳବ୍ରିଜ୍; ୨୦୨୬ ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ
ଭୁବନେଶ୍ୱର: ଓଡ଼ିଶାରେ ହେଉଛି ଦେଶର ଦ୍ବିତୀୟ ଦୀର୍ଘତମ ରେଳବ୍ରିଜ୍ । ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ତିଆରି ହେଉଛି ୪.୭୭ କିଲୋମିଟରର ରେଳପୋଲ । ଦଶପଲ୍ଲା ଜାମୁସାହି ପଅରଗଣୁରୁ କୁଲୁରୁକୁମ୍ପା ପର୍ଯ୍ୟନ୍ତ ଲମ୍ବିଛି ଟ୍ରେନ ଲାଇନ୍ । ୨୦୨୬ ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ।
ଖୋର୍ଦ୍ଧା-ବଲାଙ୍ଗିର ୩୦୧ କିଲୋମିଟର ରେଳପଥରେ ତିଆରି ହେଉଛି ଦେଶର ଦ୍ବିତୀୟ ଦୀର୍ଘତମ ରେଳବ୍ରିଜ୍ । ଯାହାର ଲମ୍ବ ୪.୭୭ କିଲୋମିଟର । ଏହି ରେଳବ୍ରିଜ ଦଶପଲ୍ଲା ଜାମୁସାହି ପଅରଗଣୁଠାରୁ ଆରମ୍ଭ ହୋଇ କୁଲୁରୁକୁମ୍ପା ପର୍ଯ୍ୟନ୍ତ ଲମ୍ବିଛି । ଏଥିରେ ପ୍ରାୟ ୧୮୨ଟି ସ୍ପାନ୍ ନିର୍ମାଣ ହେଉଛି । ଖମ୍ବଗୁଡ଼ିକର ଉଚ୍ଚତା ୮ ମିଟରରୁ ଆରମ୍ଭ କରି ସର୍ବାଧିକ ୨୬.୩ ମିଟର ପର୍ଯ୍ୟନ୍ତ ରହିଛି । ବର୍ତ୍ତମାନ ଏହି ବ୍ରିଜ ମାଟିରୁ ୮୦ ଫୁଟ ଉପରେ ତିଆରି ହେଉଛି । ଏକାଧିକ ସ୍ପାନ୍ ଉପରେ ତିଆରି ହେଉଥିବା ଏଭଳି ବ୍ରିଜକୁ ଭାୟାଡକ୍ଟ ବ୍ରିଜ କୁହାଯାଏ ।

ଆସାମ ବୋଗିବିଲରେ ବ୍ରହ୍ମପୁତ୍ର ନଦୀ ଉପରେ ଦେଶର ଦୀର୍ଘତମ ଭାୟାଡକ୍ଟ ରେଳବ୍ରିଜ ରହିଛି, ଯାହାର ଲମ୍ବ ୪.୯ କିଲୋମିଟର । ଦଶପଲ୍ଲା ବ୍ରିଜ୍ ତିଆରି ସରିଲେ ଏହା ଦେଶର ଦ୍ବିତୀୟ ଦୀର୍ଘତମ ରେଳବ୍ରିଜ ହେବ । ବୃତ୍ତଙ୍ଗ ନଦୀ ଉପରେ ବୃହତ୍ ଜଳଭଣ୍ଡାର ନିର୍ମାଣ ହେଉଥିବାରୁ ବିଶାଳ ବୁଡ଼ି ଅଞ୍ଚଳକୁ ଲକ୍ଷ୍ୟ ରଖି ଏହି ବ୍ରିଜ ନିର୍ମାଣ କରାଯାଉଛି। ଏହି ବ୍ରିଜ ନିର୍ମାଣ ହେବା ପରେ ପ୍ରକୃତିର ସୁନ୍ଦର ଦୃଶ୍ୟକୁ ଯାତ୍ରୀମାନେ ଉପଭୋଗ କରିପାରିବେ । ତେଣୁ ଏହି ରେଳପଥରେ ଭିଷ୍ଟାଡୋମ୍ ଟ୍ରେନ୍ ଚଳାଇବାକୁ ଯୋଜନା ରଖିଛି ରେଳ ବିଭାଗ । ଆଉ ଏହି ବ୍ରିଜ ଯେତେଶୀଘ୍ର ସରିବ, ସେତେଶୀଘ୍ର ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ ସରିଯିବ ବୋଲି ଆଶା କରାଯାଉଛି । ଦଶପଲ୍ଲା ରେଳବ୍ରିଜର କାମ ୫୦ରୁ ୬୦ ପ୍ରତିଶତ ସରିଗଲାଣି । ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ଏହି ରେଳବ୍ରିଜ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।












Click it and Unblock the Notifications