କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦ
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଓଡ଼ିଶାର ସାଂସଦମାନଙ୍କ ଉପସ୍ଥିତିରେ ଭେଟି ରାଜ୍ୟରେ ନୂତନ ବିମାନବନ୍ଦର ନିର୍ମାଣ, ନୂତନ ଟର୍ମିନାଲ ନିର୍ମାଣ, ବିମାନବନ୍ଦର ସମ୍ପ୍ରସାରଣ ଓ ସଂଯୋଗୀକରଣ, ଯାତ୍ରୀ ସୁବିଧା ଏବଂ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଅନୁରୋଧ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ଲେଖିଛନ୍ତି ଯେ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ ଭବନ, ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ନବୀକରଣ, ପୁରୀରେ ନୂଆ ବିମାନବନ୍ଦର ପ୍ରତିଷ୍ଠା ସହ କଟକ ଚାରବାଟିଆକୁ ପୂର୍ଣ୍ଣାଙ୍ଗ ବେସାମରିକ ବିମାନବନ୍ଦରରେ ପରିଣତ କରିବା ପାଇଁ ଆଲୋଚନା ହେଲା ।
ଶ୍ରୀ ପ୍ରଧାନ ଆହୁରି ଲେଖିଛନ୍ତି; ରାଉରକେଲା ଓ ଜୟପୁର ଏୟାରଷ୍ଟ୍ରିପର ସମ୍ପ୍ରସାରଣ ଏବଂ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରିପର ନବୀକରଣ କରିବା ପାଇଁ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲୁ । ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ 'ଉଡାନ ଯୋଜନା'ରେ ଢେଙ୍କାନାଳର ବିରାସାଲ, ସମ୍ବଲପୁରର ହୀରାକୁଦ, ଗଞ୍ଜାମର ରଙ୍ଗେଇଲୁଣ୍ଡା, ଜଗତସିଂହପୁରର ପାରାଦୀପ, କଳାହାଣ୍ଡିର ଉତକେଲା, ଯାଜପୁରର କଳିଙ୍ଗନଗର, କେନ୍ଦୁଝରର ରାଇସୁଆଁ, ବରଗଡ଼ ଜିଲ୍ଲାର ପଦମପୁର ଓ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଏବଂ ରାଇରୁଙ୍ଗପୁର ଏୟାରପୋର୍ଟ ସାମିଲ କରିବା ପାଇଁ ଅନୁରୋଧ କଲୁ ।

ଏହି ପ୍ରସ୍ତାବିତ ପଦକ୍ଷେପଗୁଡିକ ମାନନୀୟ ପ୍ରଧାନମନ୍ତ୍ରୀଙ୍କ "ପୂର୍ବୋଦୟ" ମିଶନରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ବିମାନ ଯୋଗାଯୋଗ କ୍ଷେତ୍ରରେ ଏକ ବଡ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ । ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଅର୍ଥନୀତି ଆହୁରି ମଜଭୂତ୍ ହେବା ସହ ରୋଜଗାର ସୁଯୋଗ, ପର୍ଯ୍ୟଟନ ଏବଂ ବାଣିଜ୍ୟ ବ୍ୟବସାୟରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ତିଆରି କରିପାରିବ ।












Click it and Unblock the Notifications