କେଜ୍ରିୱାଲଙ୍କ ବଡ଼ ଦାବି:ଚିଳିତ ନିର୍ବାଚନ ମୋଦୀ ଫ୍ୟାକ୍ଟର ନୁହେଁ, ସାଧାରଣ ଲୋକଙ୍କ ଫ୍ୟାକ୍ଟର
ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ଦେଶରେ ଏବେ ରାଜନୈତିକ ମାହୋଲ ରହିଛି ବେସ୍ ଉଷ୍ମ । ଏପଟେ ଏହି ପର୍ଯ୍ୟାୟ ଲାଗି ଆଜି ସଂନ୍ଧ୍ୟାରେ ସରିଛି ପ୍ରଚାର । ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଦାବି କରିଛନ୍ତି ଯେ ଏଥର ଲୋକସଭା ନିର୍ବାଚନ ନରେନ୍ଦ୍ର ମୋଦୀ ଫ୍ୟାକ୍ଟରରେ ନୁହେଁ ବରଂ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିବା ପ୍ରସଙ୍ଗରେ ଲଢ଼ାଯାଉଛି । ଏହି ସବୁ ସମସ୍ୟା ମଧ୍ୟରେ ରହିଛି ଦରବୃଦ୍ଧି ଓ ବେରୋଜଗାରୀ ।
ଏକ ହିନ୍ଦୀ ଖବରକାଗଜକୁ ସାକ୍ଷାତକାର ଦେଇ କେଜ୍ରିୱାଲ କହିଛନ୍ତି ଯେ ବିଜେପି ବିରୋଧୀ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଛି । ବିଜେପି ମଧ୍ୟ ସଂରକ୍ଷଣକୁ ଶେଷ କରିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ମୋହଲ୍ଲା କ୍ଲିନିକ, ମାଗଣା ବିଜୁଳି ଏବଂ ଦିଲ୍ଲୀର ସରକାରୀ ବିଦ୍ୟାଳୟର ଉନ୍ନତି ସମେତ ତାଙ୍କ ସରକାରଙ୍କ ଅନେକ ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । ସେ ଦାବି କରିଛନ୍ତି, ଇଣ୍ଡି ମେଣ୍ଟ କ୍ଷମତାକୁ ଆସିଲେ ତାଙ୍କ ଦଳ ଗ୍ୟାରେଣ୍ଟି ପୂରଣ କରିବ ।

ଅନ୍ୟପଟେ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲ ଜୁନ ୨ରେ ଆତ୍ମସମର୍ପଣ କରିବେ । ଲୋକ ସଭା ନିର୍ବାଚନ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ ତାଙ୍କୁ ମେ ୧୦ ରେ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । ଏହାକୁ ନେଇ କେଜରିୱାଲ କହିଛନ୍ତି କି, ଜେଲରୁ ସରକାର ଚଳାଇବାକୁ କୋର୍ଟଙ୍କ ଅନୁମତି ମାଗିବି । ଯଦି ମୁଁ ଇସ୍ତଫା ଦିଏ, ତେବେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପାଇଁ ଭାଜପା ସରକାରଙ୍କୁ ମଉକା ମିଳିଯିବ । ଗଣତନ୍ତ୍ର ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ହେବ ।












Click it and Unblock the Notifications