ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା
ଜାମ୍ମୁ-କାଶ୍ମୀର କ୍ରିକେଟ୍ ଆସୋସିଏସନ୍ (ଜେକେସିଏ)ରେ ୪୩ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରିହୋଇଛି। ଗୁରୁବାର ଏହି ପରୱାନା ଶ୍ରୀନଗରର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଜାରି କରିଛନ୍ତି। କାରଣ ଫାରୁକ୍ ଅବ୍ଦୁଲ୍ଲା ବ୍ୟକ୍ତିଗତ କିମ୍ବା ଆଭାସୀ ମାଧ୍ୟମରେ ଅଦାଲତରେ ହାଜର ହୋଇନଥିବାରୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରିହୋଇଛି।

ଏହି ମାମଲାରୁ ବାଦ୍ଦେବା ଲାଗି ଆବେଦନ କରିଥିବା ମନ୍ଜୁର ଗଜନଫର ଅଲୀଙ୍କ ନାମେର ମଧ୍ୟ ଜାମିନ ବିହୀନ ଗିରଫ ପରୱାନା ଜାରିହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୩୦ରେ ହେବ। ଏହିଦିନ ଫାରୁକ୍ ଅବ୍ଦୁଲ୍ଲା ଅଦାଲତରେ ହାଜର ନ ହେଲେ ତାଙ୍କୁ ଗିରଫ କରାଯିବ। ୨୦୦୨ରୁ ୨୦୧୧ ପର୍ଯ୍ୟନ୍ତ ଫାରୁକ୍ ଅବ୍ଦୁଲ୍ଲା ଜେକେସିଏର ସଭାପତି ଥିଲେ। ଜେକେସିଏକୁ ବିସିସିଆଇ ଦେଇଥିବା ୪୩ କୋଟି ଟଙ୍କାର ଅନୁଦାନ ରାଜ୍ୟର କ୍ରିକେଟ୍ରେ ଉନ୍ନତି ପାଇଁ ଉଦ୍ଦିଷ୍ଟ ଥିଲା। ହେଲେ ସଭାପତି ଫାରୁକ୍ ଓ ଅନ୍ୟମାନେ ଏହାକୁ ଆତ୍ମସାତ୍ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ୨୦୧୫ରେ ଜାମ୍ମୁ-କାଶ୍ମୀର ହାଇକୋର୍ଟ ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ଦେଇଥିଲେ। ପରେ ଫାରୁକ୍ ଓ ଅନ୍ୟମାନଙ୍କ ବିରୋଧରେ ୨୦୧୮ରେ ସିବିଆଇ ଚାର୍ଜସିଟ୍ ଦାଖଲ କରି ମାମଲା ଦାଏର କରିଥିଲା। ଏହି ଚାର୍ଜସିଟ୍ରେ ଫାରୁକ୍ଙ୍କ ସହ ତତ୍କାଳୀନ ସମ୍ପାଦକ ମହମ୍ମଦ ସଲିମ୍ ଖାଁ, ପୂର୍ବତନ କୋଷାଧ୍ୟକ୍ଷ ଏହ୍ସାନ ଅହମ୍ମଦ ମିର୍ଜା ଓ ଅନ୍ୟ କିଛି ସଦସ୍ୟଙ୍କ ନାମ ମଧ୍ୟ ରହିଥିଲା।












Click it and Unblock the Notifications