ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା, ଭାରତକୁ ଫେରିବ କି ଟିକ୍ଟକ୍ ?
ଭାରତ ସରକାର ଚାଇନାର ସର୍ଟ-ଭିଡିଓ ପ୍ଲାଟଫର୍ମ ଟିକ୍ଟକ୍ ଉପରେ ଲାଗୁ ବ୍ୟାନ ହଟାଇବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ରୀୟ ଆଇଟି, ସୂଚନା ଓ ପ୍ରସାରଣ ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଏହି ବିଷୟରେ ସରକାର କୌଣସି ଆଲୋଚନା କରିନାହାନ୍ତି। ଟିକ୍ଟକ୍ ର ମୂଳ କମ୍ପାନୀ ବାଇଟଡାନ୍ସ ଭାରତରେ ପୁନଃପ୍ରବେଶ ପାଇଁ ପ୍ରସ୍ତୁତି କରୁଛି ବୋଲି ଚାଲିଥିବା ଜଳ୍ପନାକୁ ଖଣ୍ଡନ କରି ବୈଷ୍ଣବ କହିଛନ୍ତି, "କୌଣସି ପକ୍ଷରୁ ଏପରି କୌଣସି ପ୍ରସ୍ତାବ ଆସିନାହିଁ।"
ଉଲ୍ଲେଖଯୋଗ୍ୟ ଯେ ୨୦୨୦ରେ ଗଲୱାନ ସଂଘର୍ଷ ପରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଥିଲା । ଜୁନ୍ ୨୦୨୦ରେ କେନ୍ଦ୍ର ସରକାର ୫୯ଟି ଚୀନ୍ ଆପ୍ ବ୍ୟାନ୍ କରିବା ପରେ ଭାରତରେ ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଜାତୀୟ ସୁରକ୍ଷା ଏବଂ ଡାଟା ଗୋପନୀୟତାକୁ କାରଣ ଦର୍ଶାଇ ସରକାର ଆପ୍ଗୁଡ଼ିକୁ ନିଷେଧ କରିଥିଲେ । ଏହି ପ୍ରତିବନ୍ଧକ ପରେ, ଆପଲ୍ ଏବଂ ଗୁଗଲ ଭାରତୀୟ ସର୍ଭରରୁ ଏହି ଆପ୍ଗୁଡ଼ିକୁ ହଟାଇ ଦେଇଥିଲେ ।

ଭାରତ ସରକାର ୨୦୨୦ ଜୁନରେ କହିଥିଲେ ଯେ ଟିକ୍ଟକ୍ ସମେତ ୫୯ଟି ଚୀନ୍ ଆପ୍ ଚୀନ୍ର ସର୍ଭରକୁ ଉପଭୋକ୍ତାଙ୍କ ତଥ୍ୟ ପଠାଉଛନ୍ତି । ଏପରି ପରିସ୍ଥିତିରେ, ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ଗୋପନୀୟତା ଏବଂ ତଥ୍ୟ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା । ଭାରତ ସରକାର ସ୍ପଷ୍ଟ କରିଥିଲେ ଯେ ଭାରତରେ କାମ କରୁଥିବା ଯେକୌଣସି କମ୍ପାନି ଭାରତୀୟ ଉପଭୋକ୍ତାଙ୍କ ତଥ୍ୟ ଭାରତରେ ହିଁ ରଖିବା ଦରକାର । ଟିକ୍ଟକ୍ ଏହି ସର୍ତ୍ତ ପୂରଣ କରିନଥିଲା । ଏହା ପରେ ସରକାର ଆପ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।












Click it and Unblock the Notifications