ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ
ବିହାରରେ ବିଜେପି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଜେଡିୟୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିଛି। ଜେଡିୟୁ ବିଧାୟକମାନେ ଦାବି କରିଛନ୍ତି ଯେ, ନିଶାନ୍ତ କୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ପାଟନାରେ ଜେଡିୟୁ ନେତାମାନଙ୍କର ଏକ ବୈଠକ ପରେ, ବିଧାୟକ ବିନୟ ଚୌଧୁରୀ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଜାତୀୟ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, 'ଆମେ ବିହାରରେ ଜେଡିୟୁ ମୁଖ୍ୟମନ୍ତ୍ରୀ ଚାହୁଁଛୁ । ନିଶାନ୍ତ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ।'

ବିନୟ ଚୌଧୁରୀ କହିଛନ୍ତି, 'ଆମେ ନୀତୀଶଙ୍କ ରାଜ୍ୟସଭା ଯିବା ନିଷ୍ପତ୍ତିରେ ସହମତ ନୁହେଁ। ଏହି ନିଷ୍ପତ୍ତି ଗ୍ରହଣୀୟ ନୁହେଁ। ଅନେକ ବିଧାୟକ କ୍ଷୁବ୍ଧ। ନୀତୀଶ କୁମାରଙ୍କ ନାମରେ NDA ବିପୁଳ ଜନାଦେଶ ପାଇଛି। ସେ ପାଞ୍ଚ ବର୍ଷ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ରହିବା ଉଚିତ। ଆମେ ତାଙ୍କୁ ଆମର ଭାବନା ବିଷୟରେ ଜଣାଇଥିଲୁ। ବୈଠକରେ ସେ (ନୀତୀଶ) କହିଥିଲେ ଯେ, ଚିନ୍ତା କରନ୍ତୁ ନାହିଁ। ମୁଁ ସବୁକିଛି ଉପରେ ନଜର ରଖିବି।'
ସେ ଆହୁରି କହିଛନ୍ତି, ନିଶାନ୍ତଙ୍କୁ ରାଜନୀତିକୁ ଆଣିବା ଜରୁରୀ ବୋଲି ଆମେ ବୈଠକରେ କହିଥିଲୁ । କିନ୍ତୁ ନୀତିଶ କୁମାର ଏ ବିଷୟରେ କିଛି କହି ନଥିଲେ। ସଞ୍ଜୟ ଝା କହିଛନ୍ତି ଯେ, ନିଶାନ୍ତ ଆସନ୍ତାକାଲି JDUରେ ଯୋଗଦେବେ। ଆମେ ଚାହୁଁଛୁ ଯେ, JDU କୋଟାରୁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ନିଶାନ୍ତ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ନୀତିଶଙ୍କୁ ଶେଷ ନିଷ୍ପତ୍ତି ନେବାକୁ ପଡିବ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଜେଡିୟୁ ଏମ୍ଏଲସି ନୀରଜ କୁମାର କହିଛନ୍ତି, 'ଆଜି ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ସାଂସଦ, ମନ୍ତ୍ରୀ ଏବଂ ବିଧାୟକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେ ଦଳ ଗଠନ କରିଥିବାରୁ ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରାଯାଇଛି ।' କାର୍ଯ୍ୟକାରୀ ସଭାପତି ଏବଂ କେନ୍ଦ୍ରମନ୍ତ୍ରୀ ଲଲ୍ଲନ ସିଂହ କହିଛନ୍ତି ଯେ, ନିଶାନ୍ତ କୁମାରଙ୍କୁ ରାଜନୀତିରେ ପ୍ରବେଶ କରିବା ଉଚିତ ବୋଲି ଦାବି କରିଛନ୍ତି ବିଧାୟକମାନେ। ବିଧାୟକ ଏବଂ ମନ୍ତ୍ରୀମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।












Click it and Unblock the Notifications