ଯୋଗୀଙ୍କ ଫର୍ମୁଲା ଆପଣାଇବେ ନୀତିଶ, ମାଫିଆ ଛାନିଆ
ମାଫିଆଙ୍କ ପାଇଁ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଯାହାକୁ ନେଇ ଅପରାଧୀଙ୍କ ମନରେ ପଶିଛି ଛନକା । ରାଜ୍ୟ ସରକାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଇନ ଲାଗୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ପୁଣିଥରେ ଏନଡିଏ ସରକାର ବିହାରରେ ଗଠନ ହେବା ପରେ ନୀତୀଶ ରାଜ୍ୟରେ ଦୁର୍ନୀତିର ମୂଳପୋଛ ପାଇଁ ବିଚାର କରୁଛନ୍ତି। ରାଜ୍ୟର ସରକାରୀ କାର୍ଯ୍ୟାଳୟରେ ହେଉଥିବା ବିଭିନ୍ନ ଦୁର୍ନୀତି ଏବଂ ମାଫିଆଙ୍କ ବିରୋଧରେ କଡ଼ା ଆଇନ ଆଣିବା ଲାଗି ସରକାର ପ୍ରସ୍ତୁତ ହେଉଛନ୍ତି ।

ନୂଆ ଆଇନ ଲାଗୁହେବା ପରେ ଦୁର୍ନୀତିକୁ ଗୁରୁତର ଅପରାଧ ବର୍ଗରେ ରଖାଯିବ। ଇତିମଧ୍ୟରେ କ୍ୟାବିନେଟ ବୈଠକରେ ଦୁର୍ନୀତି ଏବଂ ମାଫିଆ ରାଜ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବିତ ଆଇନକୁ ଅନୁମୋଦନ କରାଯାଇଛି। ଗୃହବିଭାଗ ପକ୍ଷରୁ ଯୋଜନାବଦ୍ଧ ଭାବେ ଏନେଇ କାର୍ଯ୍ୟଧାରା ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ନୂଆ ଆଇନ ଅନୁସାରେ ଦୁର୍ନୀତି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋଷୀ ସାବ୍ୟସ୍ତ ହେଲେ ୫ରୁ ୭ ବର୍ଷ ଜେଲ ଦଣ୍ଡାଦେଶ କରାଯିବ।
ଏହା ସହିତ ଯାଞ୍ଚ୍ ଏଜେନ୍ସିଙ୍କୁ ସଶକ୍ତ କରାଯିବ। ସୂଚନଯୋଗ୍ୟ, ପୂର୍ବରୁ ରାଜ୍ୟର ଯାଞ୍ଚ୍ ଏଜେନ୍ସିଙ୍କୁ ବିସ୍ତୃତ ଅଧିକାର ପ୍ରଦାନ କରାଯାଇଛି। ଏବେ ନୂଆ ଆଇନ ପ୍ରଣୟନ ହେଲେ ଏହା ପୁଣି ବୃଦ୍ଧି ପାଇବ। ଏହି ପ୍ରସ୍ତାବକୁ ବିଧାନସଭାରେ ଆଗତ କରାଯିବ। ଏହାକୁ ବିଧାନସଭାର ଉଭୟ ଗୃହରେ ପାରିତ କରିବା ଲାଗି ସରକାର ପ୍ରସ୍ତୁତ ହେଉଛନ୍ତି।












Click it and Unblock the Notifications