ନିର୍ବାଚନ ପୂର୍ବରୁ ନୀତିଶ ନେଲେ ବଡ ନିଷ୍ପତ୍ତି, ୧୬ ବିଦ୍ରୋହୀଙ୍କୁ ଦଳରୁ କଲେ ବିଦା
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ସଂଯୁକ୍ତ ଜନତା ଦଳ(ଜେଡିୟୁ)ରେ ବିଦ୍ରୋହର ସ୍ବର ଉଠିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜେଡିୟୁର ଜଣେ ବିଧାୟକ ଓ ୨ ପୂର୍ବତନ ମନ୍ତ୍ରୀଙ୍କ ସମେତ ୧୬ ବିଦ୍ରୋହୀଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ବହିଷ୍କୃତ ନେତାଙ୍କ ମଧ୍ୟରୁ ଅଧିକାଂଶ ଦଳୀୟ ନିର୍ଦ୍ଦେଶକୁ ଅବଜ୍ଞା କରି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ପ୍ରାର୍ଥୀମାନଙ୍କ ବିରୋଧରେ ନାମାଙ୍କନପତ୍ର ଦାଖଲ କରିଥିଲେ। ତେଣୁ ଶନିବାର ରାତି ଓ ରବିବାର ଦୁଇଟି ପର୍ଯ୍ୟାୟରେ ବିଦ୍ରୋହୀ ନେତାଙ୍କ ନାମ ତାଲିକା ପ୍ରକାଶ କରି ସେମାନଙ୍କୁ ବାହାର ରାସ୍ତା ଦେଖାଇ ଦିଆଯାଇଛି।

ସେହିପରି ପୂର୍ବତନ ଏମ୍ଏଲ୍ସି ସଞ୍ଜୀବ ଶ୍ୟାମ ସିଂଙ୍କୁ ମଧ୍ୟ ଜେଡିୟୁ ବିଦା କରିଛି। ସଞ୍ଜୀବ ଗୟା ଜିଲା ଗୁରୁଆ ଆସନରୁ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ହିମରାଜ ସିଂ କଟିହାର ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି। ପୂର୍ବତନ ବିଧାୟକ ମହେଶ୍ୱର ପ୍ରସାଦ ଯାଦବ(ଗୈହାଟ) ଓ ତାଙ୍କ ସମର୍ଥକ ପ୍ରଭାତ କିରନ ମଧ୍ୟ ଏଥର ଆଶାୟୀ ଥିଲେ। ଟିକେଟ ନ ମିଳିବାରୁ ସେମାନେ ବିଦ୍ରୋହୀ ସାଜିଲେ। ଏହା ପୂର୍ବରୁ ଜେଡିୟୁ ପୂର୍ବତନ ମନ୍ତ୍ରୀ ଶୈଳେଶ କୁମାର(ଜମାଲପୁର), ପୂର୍ବତନ ବିଧାୟକ ଶ୍ୟାମ ବାହାଦୁର ସିଂ, ପୂର୍ବତନ ଏମ୍ଏଲ୍ସି ସଞ୍ଜୟ ପ୍ରସାଦ ଓ ରଣବିଜୟ ସିଂଙ୍କ ବିରୋଧରେ ମଧ୍ୟ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଅନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଡଷ୍ଟବିନ୍କୁ ଯିବ ଓ୍ବକ୍ଫ ଆଇନ: ତେଜସ୍ବୀ
ବିହାରରେ ମହାମେଣ୍ଟ ସରକାର ଗଢ଼ିଲେ କେନ୍ଦ୍ରର ଓ୍ବକ୍ଫ (ସଂଶୋଧନ) ଆଇନକୁ ରଦ୍ଦ କରାଯିବ ବୋଲି ରବିବାର ବିରୋଧୀଙ୍କ ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ କହିଛନ୍ତି। ଆର୍ଜେଡି ନେତା ତେଜସ୍ବୀ ମୁସଲିମ୍ ବହୁଳ ଜିଲା କଟିହାରରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ଇଣ୍ଡିଆ ବ୍ଲକ୍ ଜିତିଲେ ଗତ ଏପ୍ରିଲରେ ପାର୍ଲାମେଣ୍ଟରେ ପାରିତ ଓ୍ବକ୍ଫ ଆଇନକୁ ଡଷ୍ଟବିନ୍କୁ ଫୋପାଡ଼ି ଦିଆଯିବ। ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କେବେହେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭଳି ସାମ୍ପ୍ରଦାୟିକ ଶକ୍ତି ସହ ସାଲିସ କରି ନ ଥିଲେ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ଏବଂ ଏହାର ସହଯୋଗୀ ସଙ୍ଗଠନଗୁଡ଼ିକ ବିହାର ସମେତ ସାରା ଦେଶରେ ଘୃଣା ବିସ୍ତାର କରୁଛନ୍ତି। ଭାଜପା ଏକ 'ଭାରତ ଜାଳ ପାର୍ଟି'। ଏହି ଦଳ କ୍ଷମତାକୁ ଆସିଲେ ସାମ୍ପ୍ରଦାୟିକ ଏଜେଣ୍ଡାଗୁଡ଼ିକ ଆହୁରି ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଇବ ବୋଲି ସେ ସମାଲୋଚନା କରିଛନ୍ତି।












Click it and Unblock the Notifications