ଡିଜେଲ ଗାଡି ଉପରେ ଲାଗିବ କି ୧୦ ପ୍ରତିଶତ ଅଧିକ ଜିଏସଟି !
ନୂଆଦିଲ୍ଲୀ: ଡିଜେଲ ଗାଡି ଉପରେ ଲାଗିବ କି ଅଧିକ ଜିଏସଟି ! ଆଜି ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବାରେ ପରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହି ଖବରକୁ ଅସ୍ୱୀକାର କରିଛନ୍ତି । କିଛି ଗଣମାଧ୍ୟମରେ ରିପୋର୍ଟରେ ଦାବି କରାଯାଇଥିଲା ଯେ, ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଡିଜେଲ ଚାଳିତ ଯାନ ଉପରେ ଅତିରିକ୍ତ 10 ପ୍ରତିଶତ ଜିଏସ୍ଟି ଲାଗୁ କରିବାକୁ ଗଡକରୀ ଅର୍ଥ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବାକୁ ଯାଉଛନ୍ତି।
ଏହି ଖବର ଗଣମାଧ୍ୟମରେ ଆସିବା ପରେ ତୁରନ୍ତ ଟ୍ୱିଟ୍ କରି ନୀତିନ ଗଡକରୀ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ଲେଖିଛନ୍ତି, ବର୍ତ୍ତମାନ ଏପରି କୌଣସି ପ୍ରସ୍ତାବ ପଠାଯାଇ ନାହିଁ, ଅର୍ଥାତ୍ ବର୍ତ୍ତମାନ ଡିଜେଲ ଯାନ ଉପରେ 10 ପ୍ରତିଶତ ଜିଏସଟି ଲାଗୁ କରାଯାଇ ନାହିଁ ।

ବାସ୍ତବରେ, ସୋମବାର 63 ତମ SIAM ବାର୍ଷିକ ସମ୍ମିଳନୀରେ ମନ୍ତ୍ରୀ ନୀତିନ ଗଡକରୀ କହିଥିଲେ ଯେ, ଦେଶରେ ଡିଜେଲ ଯାନ ହ୍ରାସ କରିବାର ଏକମାତ୍ର ଉପାୟ ହେଉଛି ସେମାନଙ୍କ ଉପରେ ଟିକସ ବୃଦ୍ଧି କରିବା। ଦେଶରେ ଡିଜେଲ ଯାନ ବ୍ୟବହାରକୁ ହ୍ରାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ଏବଂ ଏଥିପାଇଁ ସେ ଅର୍ଥମନ୍ତ୍ରୀଙ୍କୁ ସୁପାରିଶ କରିବେ।
ସେ ଆହୁରି କହିଛନ୍ତି, ମୁଁ ଆଜି ସନ୍ଧ୍ୟାରେ ଅର୍ଥମନ୍ତ୍ରୀଙ୍କୁ ଏକ ଚିଠି ଲେଖିବାକୁ ଯାଉଛି, ଯେଉଁଥିରେ ଡିଜେଲ ଯାନ ଉପରେ ଅତିରିକ୍ତ 10 ପ୍ରତିଶତ ଜିଏସଟି ଲାଗୁ କରାଯିବାର ପ୍ରସ୍ତାବ ରଖିବି । ଦେଶରେ ବିକଳ୍ପ ଇନ୍ଧନର ବ୍ୟବହାର ଉପରେ ଗୁରୁତ୍ୱ ଦେବା ପାଇଁ ସେ ଡିଜେଲ ଇଞ୍ଜିନ ଯାନ ଉପରେ 10 ପ୍ରତିଶତ ଅତିରିକ୍ତ ଟିକସ ଲାଗୁ କରିବା ବିଷୟରେ କହିଥିଲେ। ଗଡକରୀଙ୍କ ଏହି ବିବୃତ୍ତି ପରେ ଅଟୋ ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି ହୋଇଥିଲା । ଗଣମାଧ୍ୟରେ ଏହି ଖବର ପ୍ରକାଶ ପାଇବା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ପରେ ନୀତିନ ଗଡକରୀ ଟ୍ୱିଟ୍ କରି ଗଣମାଧ୍ୟମରେ ଚାଲିଥିବା ଖବରକୁ ଅସ୍ୱୀକାର କରିଛନ୍ତି।












Click it and Unblock the Notifications