ଟେରର ଫଣ୍ଡିଂ ମାମଲା : ୟାସିନ ମଲିକଙ୍କୁ ମିଳିଲା ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ : ଟେରର ଫଣ୍ଡିଂ ମାମଲାରେ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟାସିନ ମଲିକଙ୍କୁ ଏନଆଇଏ ମୃତ୍ୟୁଦଣ୍ଡ ଦାବି କରିଥିଲା । ଏହି ଦଣ୍ଡ ଉପରେ ଯୁକ୍ତି ପରେ ଦିଲ୍ଲୀର ଏନଆଇଏ କୋର୍ଟ ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ 10 ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।

ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ପାଇଁ ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେ.କେ.ଏଲ୍.ଏଫ୍) ମୁଖ୍ୟ ୟାସିନ୍ ମଲିକଙ୍କୁ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଯାହା ପରେ ଆଜି କୋର୍ଟ ଏହି ଦଣ୍ଡ ଘୋଷଣା କରିଛନ୍ତି ।
ଦିଲ୍ଲୀର ଏନଆଇଏ କୋର୍ଟ ମେ 19 ରେ ମଲିକଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଏହି ଦଣ୍ଡ ଉପରେ ଯୁକ୍ତି ପାଇଁ ମେ 25 କୁ ସ୍ଥିର କରିଥିଲେ । 2017 ରେ କାଶ୍ମୀର ଉପତ୍ୟକାରେ ଅଶାନ୍ତି ସୃଷ୍ଟି କରୁଥିବା ଆତଙ୍କବାଦ ତଥା ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହ ଜଡିତ ଏକ ମାମଲାରେ ୟାସିନ ମଲିକଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ସମେତ ବିଭିନ୍ନ ବିଭାଗ ଅଧୀନରେ ବୁକ୍ କରାଯାଇଥିଲା । ଯେଉଁଥିରେ ୟାସିନ ମଲିକ ସମସ୍ତ ଅଭିଯୋଗ ସ୍ୱୀକାର କରିଥିଲେ ।
ଆସନ୍ତୁ ଆପଣଙ୍କୁ କହିବା ଯେ 58 ବର୍ଷିୟ ୟାସିନ ମଲିକ ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (JKLF) ର ନେତା । ୟାସିନ ମଲିକଙ୍କୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଭାବେ ଚିହ୍ନଟ କରାଯାଇଛି । ତିନି ଦଶନ୍ଧିରୁ ଅଧିକ ସମୟ ଧରି ଉପତ୍ୟକାରେ ସକ୍ରିୟ ଥିବା ୟାସିନ୍ ମଲିକଙ୍କୁ ତାଙ୍କର ଭାରତ ବିରୋଧୀ ଗତିବିଧି ପାଇଁ ଚିହ୍ନଟ କରାଯାଇଥିଲା । ଗତ ତିନି ଦଶନ୍ଧି ମଧ୍ୟରେ ୟାସିନ ମଲିକ ଅନେକ ଥର ଜେଲ ଯାଇଛନ୍ତି ।