ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର
ଜାତୀୟ ରାଜପଥରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ନିଜ ଗାଡ଼ି ପାଇଁ FASTag ବାର୍ଷିକ ପାସ୍ ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ। ଆସନ୍ତା ଏପ୍ରିଲ୍ ୧ ତାରିଖରୁ ଏହି ପାସ୍ ମୂଲ୍ୟରେ ବୃଦ୍ଧି କରିବାକୁ ଯାଉଛି NHAI। ଜାତୀୟ ରାଜପଥ କର୍ତ୍ତୃପକ୍ଷ (NHAI) ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ FASTag ବାର୍ଷିକ ପାସ୍ ଦରରେ ସଂଶୋଧନ କରିଛନ୍ତି। ମାର୍ଚ୍ଚ ୧୨ରେ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ବେସରକାରୀ ବା ଅଣ-ବ୍ୟବସାୟିକ ଗାଡ଼ିଗୁଡ଼ିକ ପାଇଁ ଏହି ନୂଆ ଦର ଲାଗୁ ହେବ।
କାର୍, ଜିପ୍ ଏବଂ ଭ୍ୟାନ୍ ପାଇଁ ବାର୍ଷିକ ପାସ୍ ମୂଲ୍ୟ ୩,୦୦୦ ଟଙ୍କାରୁ ବୃଦ୍ଧି ପାଇ ୩,୦୭୫ ଟଙ୍କା ହୋଇଛି। ଏହି ନୂଆ ଦର ୨୦୨୬, ଏପ୍ରିଲ୍ ୧ ତାରିଖରୁ। ଏହି ପାସ୍ ଜରିଆରେ ବର୍ଷକୁ ୨୦୦ ଥର ଟୋଲ୍ ପ୍ଲାଜା ଅତିକ୍ରମ କରିପାରିବେ ଗାଡ଼ି ମାଲିକ। ଦେଶରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଉପଭୋକ୍ତା ଏହି ସୁବିଧା ନେଉଛନ୍ତି। ପ୍ରାୟ ୨୮ ପ୍ରତିଶତ କାର୍ କାରବାର ଏହି ପାସ୍ ମାଧ୍ୟମରେ ହେଉଛି।

ଏହି ପାସ୍ ପାଇଁ ଆପଣ 'ରାଜମାର୍ଗ ଯାତ୍ରା' (Rajmarg Yatra) ଆପ୍ କିମ୍ବା NHAI ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ। ଟଙ୍କା ପୈଠ କରିବାର ୨୪ ଘଣ୍ଟା ମଧ୍ୟରେ ଏହି ପାସ୍ ସକ୍ରିୟ ହୋଇଯିବ। ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୧୧.୮୬ କୋଟି ଫାସଟ୍ୟାଗ୍ ଜାରି କରାଯାଇଥିବା ବେଳେ ୯୮ ପ୍ରତିଶତ ଟୋଲ୍ ଆଦାୟ ଡିଜିଟାଲ୍ ମାଧ୍ୟମରେ ହେଉଛି। ତେଣୁ ଏହି ସାମାନ୍ୟ ଦର ବୃଦ୍ଧି ନିୟମିତ ଯାତ୍ରୀଙ୍କ ପକେଟ୍ ଉପରେ କିଛିଟା ପ୍ରଭାବ ପକାଇପାରେ।












Click it and Unblock the Notifications