ପୁଣି ନୂଆ ଚିନ୍ତା ବଢ଼ାଇଲା ନୂଆ ଭାଇରସ, ସତର୍କ କରାଇଲା ବିଶେଷଜ୍ଞ
ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ମହାମାରୀ ପୁଣି ଥରେ ଏସିଆକୁ ଲେଉଟିଛି। ହଂକଂ ଓ ସିଙ୍ଗାପୁର ଭଳି ଦେଶମାନଙ୍କରେ କୋଭିଡ-୧୯ ମାମଲାରେ ଅଚାନକ ବୃଦ୍ଧି ଦେଖାଯାଇଛି, ଫଳରେ ସ୍ୱାସ୍ଥ୍ୟ ଏଜେନ୍ସୀମାନେ ସତର୍କ ହୋଇ ଯାଇଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ଏହା ସମ୍ଭବତଃ ନୂଆ ଲହରର ଚେତାବନୀ ହୋଇପାରେ। ଏଥିପାଇଁ ବିଶେଷଜ୍ଞମାନେ ଭାରତକୁ ମଧ୍ୟ ସତର୍କ କରିଛନ୍ତି।

ହଂକଂ ସ୍ୱାସ୍ଥ୍ୟ ସଂରକ୍ଷଣ କେନ୍ଦ୍ରର ସଂକ୍ରାମକ ରୋଗ ବିଭାଗ ମୁଖ୍ୟ ଡା.ଅଲବର୍ଟ ଔ ଙ୍କ ଅନୁସାରେ ସହରରେ କୋଭିଡ ସଂକ୍ରମଣ ସ୍ତରରେ ଦ୍ରୁତ ବୃଦ୍ଧି ହେଉଛି। ସେ କହିଛନ୍ତି ଯେ ପଜିଟିଭିଟି ହାର ବର୍ଷକ ମଧ୍ୟରେ ଉଚ୍ଚତମ ସ୍ତରକୁ ପହଞ୍ଚି ଯାଇଛି ଓ ଜଟିଳ ମାମଲା ସହିତ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ହୋଇଛି। ୩ ମେରେ ସମାପ୍ତ ସପ୍ତାହରେ ୩୧ଟି ମାମଲା ସାମ୍ନାକୁ ଆସିଥିଲା, ଯାହା ଗତମାସ ତୁଳନାରେ ସର୍ବାଧିକ। ସ୍ୱାସ୍ଥ୍ୟ ବିଭାଗ ଏହାକୁ ଏକ ସତର୍କତା ସଂକେତ ମନେ କରୁଛନ୍ତି।
କରୋନାର ବଢୁଥିବା ସଂକ୍ରମଣ ମାମଲାର ପ୍ରଭାବ ସାଂସ୍କୃତିକ ଆୟୋଜନ ଉପରେ ମଧ୍ୟ ଦେଖାଗଲାଣି। ପ୍ରସିଦ୍ଧ ଗାୟକ ଇସେନ ଚୈନ କୋଭିଡ-୧୯ ସଂକ୍ରମିତ ହେବା କାରଣରୁ ତାଇୱାନର କାଇଶୁଙ୍ଗରେ ହେବାକୁ ଥିବା ତାଙ୍କର ମ୍ୟୁଜିକ କନସର୍ଟକୁ ବାତିଲ କରିଦେଇଛନ୍ତି। ଏହି ଘୋଷଣା ତାଙ୍କର ଅଧିକାରୀକ ୱେବଆକାଉଣ୍ଟରେ କରାଯାଇଛି। ସେହିପରି ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚଳିତ ମାସରେ ପ୍ରଥମ ଥର ସଂକ୍ରମଣ ନେଇ ରିପୋର୍ଟ ଜାରି କରିଛନ୍ତି। ତଥ୍ୟ ଅନୁସାରେ ୩ ମେରେ ସମାପ୍ତ ସପ୍ତାହରେ କୋଭିଡ ମାମଲାରେ ୨୮% ବୃଦ୍ଧି ରେକର୍ଡ କରାଯାଇଛି।
ଫଳରେ ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୪,୨୦୦କୁ ପହଞ୍ଚି ଯାଇଛି। ଏହା ଛଡା ହସ୍ପିଟାଲମାନଙ୍କରେ ଭର୍ତ୍ତି ରୋଗୀଙ୍କ ସଂଖ୍ୟାରେ ୩୦% ବୃଦ୍ଧି ହୋଇଛି। ତେବେ ମନ୍ତ୍ରାଳୟ ଏବେ ବ୍ୟାପୁଥିବା ଭାରିଏଣ୍ଟ ମହାମାରୀକାଳରେ ଦେଖାଯାଇଥିବା ଭାରିଏଣ୍ଟ ଭଳି ଏତେ ବିପଦଜନକ ନୁହେଁ ବୋଲି କହିଛନ୍ତି। ସାଧାରଣତଃ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିଶ୍ୱାସପ୍ରଶ୍ୱାସ ସମ୍ବଦ୍ଧିତ ସଂକ୍ରମଣ ଥଣ୍ଡା ଋତୁରେ ଅଧିକ ବ୍ୟାପିଥାଏ ବୋଲି କହିଛନ୍ତି। ହେଲେ ଏଥର ବିପରୀତ ଘଟଣା ଦେଖାଯାଇଛି। ଗ୍ରୀଷ୍ମ ଋତୁ ପ୍ରାରମ୍ଭରେ କୋଭିଡ ସଂକ୍ରମଣ ବଢିବା ଏବେ ଚିନ୍ତାର କାରଣ ପାଲଟିଛି। ଏହା ଏହି ସଂକେତ ଦେଉଛି ଯେ କରୋନା ଋତୁକାଳୀନ ପ୍ରଭାବରୁ ମୁକ୍ତ ହୋଇ ବର୍ଷତମାମ ସକ୍ରିୟ ରହିବାର କ୍ଷମତା ହାସଲ କରିସାରିଛି।
ତେବେ ଭାରତରେ ଏବେ କରୋନା ସଂକ୍ରମଣ ନେଇ କୌଣସି ସୂଚନା ମିଳି ନାହିଁ। ହେଲେ ଏବେଠାରୁ ସତର୍କ ହେବା ପାଇଁ ବିଶେଷଜ୍ଞ ଚେତାଇ ଦେଇଛନ୍ତି। କାରଣ ପଡୋଶୀ ଦେଶରେ ଭୂତାଣୁ ସଂକ୍ରମଣ ଏବେ ଚିନ୍ତାଜନକ ସ୍ଥିତିକୁ ପହଞ୍ଚିଛି। ସିଙ୍ଗାପୁର ଓ ହଂକଂରେ ବ୍ୟାପୁଥିବା ଭାଇରସର ଗତିବିଦ୍ଧି ଋତୁ ଉପରେ ନିର୍ଭର ନୁହେଁ ବୋଲି ପ୍ରମାଣିତ ହୋଇଛି। ଗ୍ରୀଷ୍ମ ଋତୁରେ ବଢୁଥିବା ସଂକ୍ରମଣକୁ ନେଇ ବିଶେଷଜ୍ଞ ଏହା ଏବେ ଆଉ ଋତୁକାଳୀନ ସଂକ୍ରମଣ ହୋଇ ରହିନାହିଁ ଓ ଏହା ଏବେ କ୍ରମେ ଚ୍ୟାଲେଞ୍ଜରେ ପରିଣତ ହୋଇଥିବା କହିଛନ୍ତି।












Click it and Unblock the Notifications