ନୂଆ ସଂସଦ ଭବନ ପାଇଁ ଭଏସ ଓଭର ଦେଲେ ଶାହରୁଖ ଓ ଅକ୍ଷୟ, ପ୍ରଧାନମନ୍ତ୍ରୀ କଲେ ସେୟାର
ନୂଆଦିଲ୍ଲୀ:ଆଜି ଅର୍ଥାତ୍ ମେ' ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନ ଉଦଘାଟନ କରିଛନ୍ତି । ଏହାକୁ ବହୁ ଅତ୍ୟାଧୁନିକ ସୁବିଧାରେ ସଜ୍ୱିତ କରାଯାଇଛି । ନୂଆ ସଂସଦ ଭବନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଦେଶବାସୀଙ୍କୁ ଚକିତ କରିଛି ।
ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ସଂସଦ ଭବନର ପ୍ରଶଂସା କରୁଛନ୍ତି । ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନ ଓ ଅକ୍ଷୟ କୁମାର, ଅନୁପମ ଖେରଙ୍କ ପରି ଷ୍ଟାର ଏହାର ପ୍ରଶଂସା କରି ଭିଡିଓ ସେୟାର କରିଛନ୍ତି ।

ଶନିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପରଷ୍ଟାର ଶାହରୁଖ ଖାନ ଏବଂ ଅକ୍ଷୟ କୁମାରଙ୍କ ଦ୍ୱାରା ନୂତନ ସଂସଦ ଭବନକୁ ନେଇ ସେୟାର କରିଥିବା ଭିଡିଓକୁ ରିଟ୍ୱିଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଥିଲେ ଯେ, ନୂତନ ସଂସଦ ଗୃହର ଭିଡିଓରେ ସେ ନିଜର ସ୍ୱର ଦେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତୁ ଏବଂ ସେ ଏହାକୁ ସମସ୍ତଙ୍କ ସହ ସେୟାର କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବିଶେଷ ଅନୁରୋଧ ପରେ ବହୁ ସେଲିବ୍ରିଟି ତଥା ରାଜନୈତିକ ନେତାଙ୍କ ଦ୍ୱାରା ଭିଡିଓ ସେୟାର କରାଯାଇଥିଲା ।
ଶାହରୁଖ ଖାନ, ଅକ୍ଷୟ କୁମାର, ଅନୁପମ ଖେରଙ୍କ ସମେତ ଅନେକ କଳାକାର ନୂତନ ସଂସଦ ଗୃହର ଭିଡିଓରେ ନିଜ ସ୍ୱର ସହ ନିଜ ମତ ରଖିଛନ୍ତି । ଏହି ଭିଡିଓରେ ଶାହାରୁଖ ଖାନ ନୂତନ ସଂସଦ ଗୃହକୁ 'ଆଶା ଗୃହ' ବୋଲି କହିଛନ୍ତି । କିଙ୍ଗ୍ ଖାନ ଆହୁରି କହିଛନ୍ତି, "ନୂତନ ସଂସଦ ଗୃହ, ଆମର ଆଶାର ନୂତନ ଘର, ଯେଉଁମାନେ ଆମ ସମ୍ବିଧାନକୁ ସମର୍ଥନ କରନ୍ତି ସେମାନଙ୍କ ପାଇଁ ଏକ ଘର ଯେଉଁଠାରେ 140 କୋଟି ଭାରତୀୟ ଗୋଟିଏ ପରିବାର ହୋଇଥାନ୍ତି । ଶାହରୁଖ ଖାନ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ଏକ ନୂତନ ଭାରତ ପାଇଁ ଏକ ନୂତନ ସଂସଦ ଗୃହ କିନ୍ତୁ ଭାରତର ଗର୍ବର ପୁରୁଣା ସ୍ୱପ୍ନ ସହିତ।
ଶାହରୁଖ ଖାନଙ୍କ ଭିଡିଓକୁ ରିଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, 'ଖୁବ୍ ସୁନ୍ଦର ଭାବରେ ପ୍ରକାଶ କରାଯାଇଛି" ନୂତନ ସଂସଦ ଗୃହ ହେଉଛି ଗଣତାନ୍ତ୍ରିକ ଶକ୍ତି ଏବଂ ପ୍ରଗତିର ପ୍ରତୀକ। ସେହିପରି ଅକ୍ଷୟ କୁମାର ସଂସଦ ଭବନକୁ "ଭାରତର ବିକାଶ କାହାଣୀର ପ୍ରତୀକ" ବୋଲି ବର୍ଣ୍ଣନା କରିଛନ୍ତି ।
ସୋସିଆଲ ମିଡିଆରେ ଅଭିନେତା ଶାହାରୁଖ ଖାନଙ୍କ ଭୟସ୍ ଓଭର ସହ ନୂଆ ସଂସଦର ଭିଡିଓକୁ ବେଶ୍ ପ୍ରଶଂସା କରାଯାଉଛି । ସୋସିଆଲ ମିଡିଆରେ ଲୋକଙ୍କର ଭିନ୍ନ ଭିନ୍ନ ମତ ଦେଖିବା ପାଇଁ ମିଳୁଛି । କିଙ୍ଗ୍ ଖାନଙ୍କ ଚମତ୍କାର କାହାଣୀ ସହ ସ୍ୱଦେଶର ଗୀତ ଏହି ଭିଡିଓକୁ ଆଉ ଟିକେ ଖାସ୍ କରୁଛି । ସମସ୍ତଙ୍କ ହୃଦୟ ଜିଣିବାରେ ପୁଣି ସଫଳ ହୋଇଛନ୍ତି ଶାହାରୁଖ ଖାନ ।












Click it and Unblock the Notifications