୭ ହାଇକୋର୍ଟରେ ନିଯୁକ୍ତି ହେବେ ନୂଆ ମୁଖ୍ୟ ବିଚାରପତି, କେନ୍ଦ୍ରକୁ ସୁପାରିସ କଲେ ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ ଦିଲ୍ଲୀ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର ଓ ଲଦାଖ, କେରଳ, ମଧ୍ୟପ୍ରଦେଶ, ମାଡ୍ରାସ୍ ଏବଂ ମେଘାଳୟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି।

ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ବି.ଆର୍. ଗଭାଇଙ୍କୁ ନେଇ ଗଠିତ କଲେଜିୟମ୍ ବିଭିନ୍ନ ହାଇକୋର୍ଟର ବିଚାରପତିମାନଙ୍କ ବରିଷ୍ଠତା ଓ ପ୍ରଦର୍ଶନ ଆଧାରରେ ଏହି ସୁପାରିସ କରିଛନ୍ତି। ତଦନୁସାରେ ଦିଲ୍ଲୀ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନଙ୍କୁ ସେଠାରେ ମୁଖ୍ୟ ବିଚାରପତି ଭାବେ ଅବସ୍ଥାପିତ କରିବା ପାଇଁ ସୁପାରିସ କରାଯାଇଛି। ସେହିପରି ଜଷ୍ଟିସ୍ ରାଜୀବ ଶକଧେରଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ ପାଇଁ ପରାମର୍ଶ ଦିଆଯାଇଛି।
ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଆସନ୍ତା ୧୯ରେ ଅବସର ନେବେ। ତାଙ୍କ ସ୍ଥାନରେ ହିମାଚଳ ପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏମ୍.ଏସ୍. ରାଓଙ୍କୁ ନିଯୁକ୍ତି ଦିଆଯିବ। ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ବିଚାରପତି ସୁରେଶ କୁମାର କୈତଙ୍କୁ ଜମ୍ମୁ-କଶ୍ମୀର ଓ ଲଦାଖ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ ସକାଶେ ସୁପାରିସ କରାଯାଇଛି। ଜଷ୍ଟିସ୍ ଜି.ଏସ୍. ସନ୍ଧ୍ୟାଓ୍ବାଲିଆଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି। ଜଷ୍ଟିସ୍ ନୀତିନ ମଧୁକର ଜାମଦାରଙ୍କୁ କେରଳ ହାଇକୋର୍ଟ ଏବଂ ଜଷ୍ଟିସ୍ ତଶିନ୍ ରବସ୍ତାନଙ୍କୁ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଅବସ୍ଥାପିତ କରିବା ପାଇଁ ସୁପାରିସ କରାଯାଇଛି। ବମ୍ବେ ହାଇକୋର୍ଟର ଦ୍ୱିତୀୟ ବରିଷ୍ଠତମ ବିଚାରପତି କେ.ଆର୍. ଶ୍ରୀରାମଙ୍କୁ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି।












Click it and Unblock the Notifications