ନିଟ୍ ପେପର ଲିକ୍ ମମଲା: ଗିରଫ ହେଲେ ଆଉ ଦୁଇ ଜଣ
NEET-UG paper leak: ନିଟ୍ ପେପର ଲିକ୍ ମମଲାରେ ଆକ୍ସନ ମୋଡରେ ସିବିଆଇ । ନିଟ ୟୁଜି ପେପର ଲିକ୍ ମାମଲାରେ ବିହାରର ଆଉ ଦୁଇ ଜଣଙ୍କୁ ଗିରଫ କରିଛି ସିବିଆଇ । ଏହି ମାମଲାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରାଯାଇଛି । ସିବିଆଇ ନାଲନ୍ଦା ଓ ଗୟାରୁ ସନ୍ନି କୁମାର ଓ ରଞ୍ଜିତ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସନ୍ନି ପ୍ରାର୍ଥୀ ହୋଇଥିବା ବେଳେ ରଞ୍ଜିତ ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କ ପିତା । ଦୁହେଁ ପ୍ରଶ୍ନପତ୍ର ଲିକ୍ କରିବାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।
ଏହା ପୂର୍ବରୁ ଜୁଲାଇ ୮ତାରିଖରେ ସିବିଆଇ ମହାରାଷ୍ଟ୍ରର ଲାଟୁରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ନାନଜୁନ ଧପ୍ପା ନାମକ ଏହି ବ୍ୟକ୍ତି ଜଣକ ସେମାନଙ୍କଠାରୁ ଟଙ୍କା ନେଇ ଛାତ୍ରଛାତ୍ରୀଙ୍କ ମାର୍କ ବଢ଼ାଇବାକୁ ଦାବି କରୁଥିଲେ । ଲାଟୁରର ଏକ ସରକାରୀ ସ୍କୁଲର ଦୁଇ ଜଣ ଶିକ୍ଷକ ପରୀକ୍ଷାରେ ସଫଳତା ସୁନିଶ୍ଚିତ କରିବା ପାଇଁ ନିଟ୍-ୟୁଜି ପରୀକ୍ଷାର୍ଥୀଙ୍କ ଠାରୁ ପାଖାପାଖି ୫ ଲକ୍ଷ ଟଙ୍କା ଦାବି କରିଥିଲେ ।

ଅନ୍ୟପଟେ ବିଭିନ୍ନ ମହଲରୁ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ବହୁ ମାମଲା । ଏଥିମଧ୍ୟରୁ ଅଧିକାଂଶ ଯାଚିକା ନିଟ୍ ୟୁଜି ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଛନ୍ତି । କେନ୍ଦ୍ର ସରକାର ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଦାଏର ହଲଫନାମାରେ ନିଟ ୟୁଜି ପରୀକ୍ଷା ରଦ୍ଦକୁ ବିରୋଧ କରିଛନ୍ତି ।
କେନ୍ଦ୍ର ସରକାର ଏହି ହଲଫନାମାରେ କହିଛନ୍ତି ପରୀକ୍ଷା ରଦ୍ଦ କାରଣରୁ ଲକ୍ଷାଧିକ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ । ଏପରିକି ୧୫୬୩ ଛାତ୍ରଛାତ୍ରୀଙ୍କୁ ଲସ୍ ଅଫ ଟାଇମ କାରଣରୁ ଦିଆଯାଇଥିବା ଗ୍ରେସମାର୍କ ବିରୋଧରେ ପିଟିସନରେ ଆବେଦନ କରାଯାଇଥିଲା । ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପାର୍ଦ୍ଦିୱାଲ ଓ ଜଷ୍ଟିସ ମନୋଜ ମିଶ୍ର ମାମଲାର ଶୁଣାଣି କରିବେ ।
ପିଟିସନ ଗୁଡିକରେ ପେପର ଲିକ୍ ଅଭିଯୋଗ, ସମ୍ପୂର୍ଣ୍ଣ ଭାବେ ପରୀକ୍ଷା ବାତିଲ, ନ୍ଯାସନାଲ ଟେଷ୍ଟିଂ ଏଜେନ୍ସିର କାର୍ଯ୍ୟକଳାପର ତଦନ୍ତ, ୬ ତାରିଖରେ ହେବାକୁ ଥିବା ନିଟ-ୟୁଜି କାଉନସେଲିଂ ସ୍ଥଗିତ ଆଦି ପ୍ରସଙ୍ଗ ରହିଛି ।












Click it and Unblock the Notifications