National Flag Day 2025: ଆଜି ଜାତୀୟ ପତାକା ଦିବସ; ଆପଣ ଜାଣନ୍ତି କି ଜାତୀୟ ପତାକାର ଇତିହାସ ?
ତ୍ରିରଙ୍ଗା ଆମର ଜାତୀୟ ପତାକା । ଭାରତର ଗର୍ବ, ଗୌରବ ଏବଂ ସମ୍ମାନର ପ୍ରତୀକ । ପ୍ରତ୍ୟେକଟି ଭାରତୀୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ତ୍ରିରଙ୍ଗା । ଏହା କେବଳ ଏକ ପତାକା ନୁହେଁ ବରଂ ଆମ ଦେଶର ପରିଚୟ ।
ଆପଣ ଜାଣନ୍ତି କି ଜାତୀୟ ପତାକାର ଇତିହାସ? ଆପଣଙ୍କୁ ଜଣାଇଦେଉଛୁ ଯେ ଦେଶ ସ୍ୱାଧୀନ ହେବା ପୂର୍ବରୁ ହିଁ ଆମ ଜାତୀୟ ପତାକାକୁ ପରିଚୟ ମିଳିସାରିଥିଲା ।
ପ୍ରତିବର୍ଷ ଜୁଲାଇ ୨୨ ତାରିଖକୁ ସାରା ଦେଶରେ ଜାତୀୟ ପତାକା ଗ୍ରହଣ ଦିବସ ଭାବେ ପାଳନ କରାଯାଏ । ଏହି ଦିବସଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ , କାରଣ ୧୯୪୭ ମସିହାର ଏହି ଦିନରେ ସମ୍ବିଧାନ ସଭା ଦ୍ୱାରା ତ୍ରିରଙ୍ଗା ପତାକାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା । ସ୍ୱାଧୀନତା ପୂର୍ବରୁ ଏହି ଘଟଣା ଦେଶର ଏକତା, ସାର୍ବଭୌମତ୍ୱ ଓ ସ୍ୱାଧୀନତା ସଂଗ୍ରାମର ପ୍ରତୀକ ଭାବେ ଚିହ୍ନିତ ହୋଇ ରହିଛି ।

ଭାରତୀୟ ଜାତୀୟ ପତାକାର ଇତିହାସ ଦେଶର ସ୍ୱାଧୀନତା ସଂଗ୍ରାମ ସହିତ ଓତଃପ୍ରୋତ ଭାବେ ଜଡିତ । ୧୯୨୧ ମସିହାରେ ପିଙ୍ଗଳି ଭେଙ୍କୟାଙ୍କ ଦ୍ୱାରା ପ୍ରସ୍ତୁତ ପତାକାରେ ଲାଲ ଓ ସବୁଜ ରଙ୍ଗ ସହ ମଝିରେ ଏକ ଚରଖା ରହିଥିଲା । ପରେ, ୧୯୩୧ ମସିହାରେ ଏକ ସଂକଳ୍ପ ପାରିତ କରାଯାଇ ତ୍ରିରଙ୍ଗା ପତାକାକୁ ଗ୍ରହଣ କରାଗଲା, ଯେଉଁଥିରେ କମଳା, ଧଳା ଓ ସବୁଜ ରଙ୍ଗ ସହ ମଝିରେ ଚରଖା ରଖାଗଲା ।
ଶେଷରେ, ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ ବସିଥିବା ସମ୍ବିଧାନ ସଭାରେ ପଣ୍ଡିତ ଜବାହରଲାଲ ନେହେରୁ ତ୍ରିରଙ୍ଗା ପତାକାକୁ ଜାତୀୟ ପତାକା ଭାବେ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବରେ ଚରଖା ସ୍ଥାନରେ ସାରନାଥର ଅଶୋକ ସ୍ତମ୍ଭରୁ "ଧର୍ମ ଚକ୍ର"କୁ ସ୍ଥାନିତ କରାଗଲା । ପତାକାର ଉପର ଭାଗରେ ଥିବା କମଳା ରଙ୍ଗ ସାହସ ଓ ବଳିଦାନର ପ୍ରତୀକ ହୋଇଥିବାବେଳେ, ମଝିରେ ଥିବା ଧଳା ରଙ୍ଗ ଶାନ୍ତି ଓ ସତ୍ୟର ପ୍ରତୀକ । ସେହିପରି ତଳ ଭାଗରେ ଥିବା ସବୁଜ ରଙ୍ଗ ବିଶ୍ୱାସ ଓ ବୀରତ୍ୱର ପ୍ରତୀକ ଅଟେ ।
ଏହି ଅବସରରେ ଓଡ଼ିଶାରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ରାଜଧାନୀ ଭୁବନେଶ୍ୱରରେ ଥିବା ଆଇସିଏସଆଇ ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଛି । ଏହା ବ୍ୟତୀତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ ଓ କଲେଜମାନଙ୍କରେ ଏହି ଦିବସର ମହତ୍ତ୍ୱ ବିଷୟରେ ଆଲୋଚନା କରାଯାଇଥାଏ ।
ଏହି ଦିବସ କେବଳ ପତାକାକୁ ସମ୍ମାନ ଦେବାର ଦିନ ନୁହେଁ, ବରଂ ଏହା ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇବା ସହ ଦେଶବାସୀଙ୍କ ମଧ୍ୟରେ ଏକତା ଓ ଦେଶପ୍ରେମର ଭାବନାକୁ ଆହୁରି ମଜଭୁତ କରିଥାଏ ।












Click it and Unblock the Notifications