ଆସିବ ନୂଆ ବିଦ୍ୟୁତ୍ ନୀତି-୨୦୨୬, ହେବ କି ବିଦ୍ୟୁତ୍ ମହଙ୍ଗା?
୨୦୦୫ରେ ଜାରି ହୋଇଥିବା ବିଦ୍ୟୁତ୍ ନୀତିକୁ ବଦଳାଇ ଦୁଇ ଦଶନ୍ଧି ପରେ ଏବେ ଭାରତ ସରକାର ନୂତନ ବିଦ୍ୟୁତ୍ ନୀତି-୨୦୨୬ ଆଣିବାକୁ ଯାଉଛନ୍ତି। ଏଥିପାଇଁ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇ ସାରିଛି। ଉନ୍ନତ ଆଣବିକ ପ୍ରଯୁକ୍ତିବିଦ୍ୟା, କ୍ଷୁଦ୍ର ମଡ୍ୟୁଲାର୍ ରିଆକ୍ଟର ଓ ଅନ୍ୟାନ୍ୟ କ୍ଷୁଦ୍ର କ୍ଷମତା ସମ୍ପନ୍ନ ରିଆକ୍ଟର ବ୍ୟବହାର କରାଯିବା ସହ ଆଣବିକ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଘରୋଇ କ୍ଷେତ୍ରର ପ୍ରବେଶ ପାଇଁ ଏହି ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି।
ଭାରତକୁ ଆଣବିକ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏକ ସମର୍ଥ ରାଷ୍ଟ୍ର ଭାବେ ପରିଗଣିତ କରିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି। ଧୀରେ ଧୀରେ ଆଣବିକ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବା ସହ କୋଇଲାଭିତ୍ତିକ ତାପଜ ଶକ୍ତି ଉତ୍ପାଦନ ହ୍ରାସ କରାଯିବା ପାଇଁ ଯୋଜନା କରାଯାଉଛି।
ସଂପ୍ରତି ଭାରତରେ ଉତ୍ପାଦିତ ବିଦ୍ୟୁତ୍ର ସର୍ବାଧିକ ଭାଗ ହେଉଛି କୋଇଲାଭିତ୍ତିକ ତାପଜ ଶକ୍ତି ପ୍ରକଳ୍ପରୁ ଉତ୍ପାଦିତ ହେଉଥିବା ବିଦ୍ୟୁତ୍ ଶକ୍ତି। ତେବେ କୋଇଲା ଏକ ନବୀକରଣକ୍ଷମ ବିଦ୍ୟୁତ୍ ଉତ୍ସ ହୋଇ ନଥିବା ବେଳେ ଏହାର ମାତ୍ରାଧିକ ବ୍ୟବହାର ପରିବେଶ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଉଛି। ତେଣୁ ନୂଆ ବିଦ୍ୟୁତ୍ ନୀତିରେ ଆଣବିକ ପ୍ରକଳ୍ପ ଉପରେ ଅଧିକ ମନୋନିବେଶ କରିବ ଭାରତ।

ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି ଯେ ୨୦୪୭ ସୁଦ୍ଧା ଭାରତର ଆଣବିକ ଶକ୍ତି ଉତ୍ପାଦନ କ୍ଷମତା ବାର୍ଷିକ ୧୦ ଗୁଣରୁ ଅଧିକ ବୃଦ୍ଧି ପାଇ ୧୦୦ ଗିଗାୱାଟ୍ ହେବ। ସଂପ୍ରତି ଏହା ମାତ୍ର ୮.୮ ଗିଗାୱାଟ୍ ରହିଛି। ଶକ୍ତି କ୍ଷେତ୍ରରେ ଆର୍ଥିକ ସଂସ୍କାର ପାଇଁ ପଥ ଉନ୍ମୁକ୍ତ କରାଯିବା ସହ ଘରୋଇ କ୍ଷେତ୍ରର ସହଭାଗିତା ଉପରେ ଗୁରୁତ୍ବ ଦିଆଯିବ। ଭାରତରେ ବିଦ୍ୟୁତ୍ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ୨୦୪୭ ସୁଦ୍ଧା ମୁଣ୍ଡପିଛା ବିଦ୍ୟୁତ୍ ଉତ୍ପାଦନ ଦୁଇ ଗୁଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଦ୍ୟୁତ୍ ଉତ୍ପାଦନ ପ୍ରକ୍ରିୟାରେ ପ୍ରଦୂଷଣ ହ୍ରାସକୁ ଗୁରୁତ୍ବ ଦିଆଯାଇଛି। ୨୦୩୦ ସୁଦ୍ଧା ପ୍ରଦୂଷଣ ୪୫ ପ୍ରତିଶତ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଦ୍ୟୁତ୍ ଶୁଳ୍କ ବ୍ୟବସ୍ଥାରେ ମଧ୍ୟ ସଂସ୍କାର ଆଣିବାକୁ ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି।












Click it and Unblock the Notifications