ମହାକାଶରୁ ମହାକୁମ୍ଭର ମନମୁଗ୍ଧକର ଫଟୋ
ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ କେବଳ ଦେଶ ବିଦେଶର ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁନାହିଁ, ବରଂ ମହାକାଶରେ ଅବସ୍ଥାନ କରୁଥିବା ମହାକାଶଚାରୀମାନେ ମଧ୍ୟ ଏଥିପାଇଁ ଆଗ୍ରହ ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଇଛି। ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନ (ଆଇଏସ୍ଏସ୍)ରେ ଅବସ୍ଥାନ କରୁଥିବା ମହାକାଶଚାରୀ ଡନ୍ ପେଟିଟ୍ ବିଶ୍ବର ଏହି ବିଶାଳ ଧାର୍ମିକ ସମାବେଶର ଫଟୋ ଉତ୍ତୋଳନ କରିଛନ୍ତି। ରାତିରେ ଉତ୍ତୋଳନ କରାଯାଇଥିବା ଏହି ଫଟୋରେ ମହାକୁମ୍ଭ ସ୍ଥଳ ଆଲୋକମାଳାରେ ଝଲସୁ ଥିବା ଲକ୍ଷ୍ୟ କରାଯାଇଛି। ଏହି ଫଟୋକୁ ନେଇ ଇଣ୍ଟରନେଟ ଉପଭୋକ୍ତାମାନେ ଖୁସିରେ ବିଭୋର ହୋଇପଡିଥିବାବେଳେ ସକାରାତ୍ମକ ମନ୍ତବ୍ୟ ଦେଇଛନ୍ତି।
ମହାକାଶରୁ ନିଆଯାଇଥିବା ଏହି ଫଟୋ ମହାକୁମ୍ଭକୁ ନେଇ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ନିଶ୍ଚିତ । ଫଟୋ ଶେୟାର କରି ଡନ୍ ପେଟିଟ୍ ଲେଖିଛନ୍ତି ଯେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରୁ ନିଆଯାଇଥିବା ଫଟୋରେ ୨୦୨୫ ମହାକୁମ୍ଭ ମେଳାର ଏକ ଅବିଶ୍ବସନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଗଙ୍ଗା ନଦୀ କୂଳରେ ବିଶ୍ୱର ସର୍ବବୃହତ ମାନବ ସମାବେଶ ଚମକୁଛି ।

ମହାକୁମ୍ଭ ହେଉଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ଉତ୍ସବ, ଯେଉଁଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ନଦୀରେ ସ୍ନାନ କରି ଆଧ୍ୟାତ୍ମିକ ଶାନ୍ତି ଲାଭ କରିଥାନ୍ତି । ବର୍ତ୍ତମାନ ସୁଦ୍ଧା ୧୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରି ଏହି ସୁଖଦ ଓ ଧାର୍ମିକ ଅନୁଭୂତିକୁ ଅନୁଭବ କରିସାରିଥିବା ବେଳେ ଏଠାରୁ ଆସୁଥିବା ଫଟୋ ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି।












Click it and Unblock the Notifications