'ବିହାର ପାଇଁ ନରେନ୍ଦ୍ର ମୋଦି ବହୁତ ବଡ଼ ପ୍ୟାକେଜ ଦେଇଛନ୍ତି'
ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ । କଂଗ୍ରେସ ସମୟରେ ବିକାଶ ପଥ ଭ୍ରଷ୍ଟ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ବିକାଶ ଦ୍ରୁତ ଗତିରେ ଆଗକୁ ବଢୁଛି । ୨୫ କୋଟି ଲୋକ ଗରିବୀ ସୀମା ରେଖା ଉପରକୁ ଉଠିଛନ୍ତି । ଦେଶ ଆଜି ବିକାଶ ପଥରେ ଆଗକୁ ବଢୁଛି । ୨୦୨୫ ସୁଦ୍ଧା ଦେଶର ୫୬ କୋଟି ୮୫ ଲକ୍ଷ ୨୪ ହଜାର ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି । ଓଡ଼ିଶାରେ ବି ଜନଧନ ଯୋଜନାରେ ୨ କୋଟି ୩୪ ଲକ୍ଷ ୭୭ ହଜାର ଲୋକଙ୍କର ଆକାଉଣ୍ଟ ଖୋଲା ଯାଇଛି ।
ଅନ୍ୟପଟେ ବିହାର ନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି ଏନଡିଏ ସରକାରରେ ବିହାରର କାୟା ପରିବର୍ତ୍ତନ ହୋଇଛି । ବିହାର ପାଇଁ ନରେନ୍ଦ୍ର ମୋଦି ବହୁତ ବଡ଼ ପ୍ୟାକେଜ ଦେଇଛନ୍ତି । ବିହାରର ଜନତା ପୂର୍ବ ଭଳି ଅଧିକ ସଂଖ୍ୟାରେ ଆଉ ବାହାରକୁ ଯାଉ ନାହାନ୍ତି କାମ କରିବାକୁ ।
ଲୋକଙ୍କୁ ରୋଜଗାର ମିଳିଛି । ବିହାରରେ ଅଧିକ ଭୋଟିଂ ପ୍ରତିଶତ ହେବା ଏନଡିଏ ପାଇଁ ବହୁତ ଭଲ ହେବ । ଅଧିକ ଭୋଟିଂ ଆମ ସପକ୍ଷରେ ଯିବ । ମହିଳାଙ୍କ ପାଇଁ ୧୦ ହଜାର ଟଙ୍କା ଦିଆଯାଇଛି ଓ ପ୍ରଧାନମନ୍ତ୍ରୀ ମଧ୍ୟ ବଡ଼ ପ୍ୟାକେଜ ଦେଇଛନ୍ତି ବିହାରକୁ । ତେଣୁ ଲୋକେ ଅଧିକ ଭୋଟ ଦେଇଛନ୍ତି । ବିହାରରେ ଆମର ପୁଣି ଥରେ ସରକାର ହେବ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ।

ସେହିଭଳି ନିର୍ବାଚନ ସମୟରେ ରାହୁଲ ଗାନ୍ଧିଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାହୁଲ ଗାନ୍ଧିଙ୍କୁ ବିହାରର 'ବ' ଅକ୍ଷର ଜଣାନାହିଁ । ତାଙ୍କ ବୟାନର ପ୍ରଭାବ ମହାମେଣ୍ଟର ଅନ୍ୟଦଳକୁ ଭୋଗିବାକୁ ପଡୁଛି । ବିହାରର ପରିଶ୍ରମୀ ଲୋକଙ୍କ ବିଷୟରେ କିଛି କହିବା ପୂର୍ବରୁ ସେମାନଙ୍କର ଅତୀତକୁ ଦେଖିବା ଦରକାର । ସ୍ବାଧୀନତାର ୪୦ ବର୍ଷ ପର୍ଯ୍ୟନ୍ତ ବିହାରରେ କଂଗ୍ରେସ ଶାସନ ଥିଲା । ଏହା ପରେ ୧୫ବର୍ଷ କଂଗ୍ରେସର ସାଥୀ ଦଳ ଆରଜେଡି କ୍ଷମତାରେ ଥିଲା ।
ଏହି ୫୫ ବର୍ଷ ଭିତରେ କଂଗ୍ରେସ ଓ ଆରଜେଡି ବିହାରକୁ ପଛକୁ ଠେଲିବାକୁ କୌଣସି ଅବସର ଛାଡିନାହାନ୍ତି । ୨୦୦୫ରେ ବିହାରର ଲୋକମାନେ ଆରଜେଡିର ଜଂଗଲରାଜକୁ ବିଦାକରି ଏନଡିଏ ସରକାର ଗଠନ କରିଥିଲେ । କିନ୍ତୁ କଂଗ୍ରେସକୁ ଏହା ଭଲ ଲାଗି ନଥିଲା । ୨୦୦୫ରୁ ୨୦୧୪ ପର୍ଯ୍ୟନ୍ତ ୯ ବର୍ଷ କେନ୍ଦ୍ର ସରକାରରେ ରହି କଂଗ୍ରେସ ବିହାରକୁ ସାବତ ବ୍ୟବହାର କରିଥିଲା ।
ତେଣୁ ରାହୁଲ ଗାନ୍ଧି କୌଣସି ପ୍ରଶ୍ନ ପଚାରିବା ପୂର୍ବରୁ ବିହାର ବାସୀଙ୍କୁ ପୂର୍ବରୁ କରିଥିବା ଅନ୍ୟାୟର ହିସାବ ଦେବା ଦରକାର । ୨୦୦୪ରୁ ୨୦୧୪ ମଧ୍ୟରେ କଂଗ୍ରେସ ଦ୍ବାରା ବିହାରକୁ ଦିଆଯାଇଥିବା ଅନୁଦାନ ଏବଂ ୨୦୧୪ରୁ ୨୦୨୫ ମଧ୍ୟରେ ମୋଦି ସରକାରଙ୍କ ଦ୍ବାରା ବିଭିନ୍ନ ଯୋଜନା ଓ ଅନୁଦାନର ତୁଳନାତ୍ମକ ତଥ୍ୟ ରଖିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।












Click it and Unblock the Notifications