ଘରୁ ନଗଦ ଟଙ୍କା ଜବତ ପରେ ଜଷ୍ଟିସ ବର୍ମାଙ୍କ ପ୍ରତିକ୍ରିୟା
ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଘରୁ ନଗଦ ଟଙ୍କା ଜବତ ପରେ ଏବେ ତାଙ୍କୁ ନ୍ୟାୟିକ ଦାୟିତ୍ୱରୁ ମୁକ୍ତ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ସୋମବାର ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କଠାରୁ ତୁରନ୍ତ ନ୍ୟାୟିକ ଦାୟିତ୍ୱ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (CJI) ସଞ୍ଜିବ ଖାନ୍ନା ଏହାର ତଦନ୍ତ ଲାଗି ଏକ ୩ ଜଣିଆ କମିଟି ଗଠନ କରିଛନ୍ତି । ଇତିମଧ୍ୟରେ ଜଷ୍ଟିସ୍ ବର୍ମାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେଥିରେ ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟଙ୍କ ନିକଟରେ ରଖିଥିବା ଜବାବରେ ବର୍ମା କହିଛନ୍ତି, ତାଙ୍କୁ ଫସାଇବାକୁ ଏହା ଏକ ଷଡ଼ଯନ୍ତ୍ର । ନିଆଁ ତାଙ୍କର ମୁଖ୍ୟ ବଙ୍ଗଳାରେ ନୁହେଁ, ପରିସରରେ ଥିବା ଆଉଟ୍ହାଉସ୍ରେ ଲାଗିଥିଲା । ତାକୁ ଘରର ଅଦରକାରୀ ସାମଗ୍ରୀ ରଖିବାକୁ ଷ୍ଟୋର ରୁମ୍ ଭାବେ ବ୍ୟବହାର କରାଯାଉଥିଲା । ସେ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ସେହି ଷ୍ଟୋରରୁମ୍ରେ କେବେ କୌଣସି ନଗଦ ରଖିନଥିଲେ ।
ତେଣୁ ଟଙ୍କା ତାଙ୍କର ବୋଲି ଯେଉଁ ପ୍ରଚାର ଚାଲିଛି ତାକୁ ସେ ନିନ୍ଦା କରୁଛନ୍ତି । କେହି ଏମିତି ଖୋଲାଖୋଲି ଷ୍ଟାଫ୍ କ୍ୱାର୍ଟର୍ସ ନିକଟରେ ଷ୍ଟୋର ରୁମ୍ରେ ବା କୌଣସି ଆଉଟହାଉସ୍ରେ ନଗଦ ଗଚ୍ଛିତ ରଖିବା ଅବିଶ୍ୱସନୀୟ । ଟଙ୍କା ମିଳିଥିବା କୋଠରୀ ତାଙ୍କ ରହିବା ସ୍ଥାନଠାରୁ ବିଲକୁଲ୍ ଅଲଗା । ଷ୍ଟୋରରୁମ୍ରେ ତାଲା ପଡିନଥିବାବେଳେ ତା' ମଧ୍ୟକୁ ଯେ କେହିବି ଯାଇପାରିବେ । ଏପରିସ୍ଥଳେ ମିଡିଆ ତାଙ୍କ ବିରୋଧରେ ଅଭିଯୋଗ ଲଗାଇବା ପୂର୍ବରୁ କିଛି ଯାଞ୍ଚ କରିବାର ଥିଲା । ନୋଟ୍ ଜଳୁଥିବାର ଭିଡିଓ ଓ ଫଟୋ ଦେଖି ସେ ନିଜେ ମଧ୍ୟ ଚକିତ ହୋଇଥିବା ପ୍ରକାଶ କରିଛନ୍ତି ।

ଜଷ୍ଟିସ୍ ବର୍ମାଙ୍କର ଜବାବ ସହିତ ହାଇକୋର୍ଟଙ୍କ ରିପୋର୍ଟ, ଦିଲ୍ଲୀ ପୁଲିସ କମିଶନର ଶେୟାର କରିଥିବା ଫଟୋ ଓ ଭିଡିଓକୁ ସୁପ୍ରିମକୋର୍ଟଙ୍କ ୱେବସାଇଟ୍ରେ ଶନିବାର ରାତିରେ ଅପଲୋଡ୍ କରାଯାଇଥିଲା । ସେଥିମଧ୍ୟରୁ ୬୫ ସେକେଣ୍ଡର ଏକ ଭିଡିଓରେ ଅଧା ଜଳା ନୋଟ ଭର୍ତ୍ତି ବସ୍ତା ଦେଖିବାକୁ ମିଳୁଛି । ଘଟଣାଟି ମାର୍ଚ୍ଚ ୧୪ ତାରିଖର । ସେଦିନ ବର୍ମାଙ୍କ ବଙ୍ଗଳାରେ ନିଆଁ ଲାଗିବା ପରେ ପରିବାର ଲୋକଙ୍କ ସୂଚନା ଆଧାରରେ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚିଥିଲା ।
ନିଆଁ ଲିଭାଇବା ସମୟରେ ଦମକଳ କର୍ମଚାରୀମାନେ ୪-୫ଟି ଅଧା ଜଳା ବସ୍ତା ପାଇଥିଲେ । ତାହା ନୋଟ୍ ଭର୍ତ୍ତି ଥିଲା । ସୁପ୍ରିମକୋର୍ଟଙ୍କ ୱେବସାଇଟ୍ରେ ଅପଲୋଡ୍ ହୋଇଥିବା ୩ଟି ଯାକ ଫଟୋରେ ମଧ୍ୟ ଅଧାଜଳା ନୋଟ୍ ବଣ୍ଡଲ ଦେଖିବାକୁ ମିଳୁଛି । ଅନ୍ୟପଟେ ବିଚାରପତିଙ୍କ ବଙ୍ଗଳା ବାହାରେ ରବିବାର ସଫେଇ ସମୟରେ ସଫେଇ କର୍ମଚାରୀମାନେ ୫୦୦ ଟଙ୍କିଆ ଅଧା ଜଳିଯାଇଥିବା ନୋଟ୍ ପାଇଛନ୍ତି । ୪-୫ ଦିନ ପୂର୍ବରୁ ମଧ୍ୟ ସେମାନଙ୍କୁ ଏଭଳି ନୋଟ୍ ମିଳିଥିବା ସେମାନେ ପ୍ରକାଶ କରିଛନ୍ତି । ଏହି ନୋଟ୍ ସଫେଇ ସମୟରେ ରାସ୍ତା ଉପରେ ପତ୍ର ସହିତ ପଡିଥିଲା ।












Click it and Unblock the Notifications