ସର୍ବସମ୍ମୁଖରେ ନିଜର ବିଫଳତାକୁ ସ୍ୱୀକାର କଲେ ରାହୁଲ !
କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସର୍ବସମ୍ମୁଖରେ ନିଜର ବିଫଳତାକୁ ସ୍ୱୀକାର କରିଛନ୍ତି। ପୂର୍ବରୁ ଜାତି ଭିତ୍ତିକ ଜନଗଣନା ନ କରିବା ତାଙ୍କର ଭୁଲ ଥିଲା ବୋଲି ସେ କହିଛନ୍ତି। ଏଥିସହ ଏବେ ଏହାକୁ ଠିକ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ସମସ୍ତକୁ ଜଣାଇଛନ୍ତି।
ଦିଲ୍ଲୀର ତାଲକାଟୋରା ଷ୍ଟାଡିୟମରେ ଓବିସି ସଂପ୍ରଦାୟ ପକ୍ଷରୁ ଆୟୋଜିତ ଭାଗିଦାରୀ ନ୍ୟାୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଯୋଗ ଦେଇଥିଲେ। ଏହି ଅବସରରେ ରାହୁଲ କହିଛନ୍ତି ଯେ ନିକଟରେ ତେଲଙ୍ଗାନାରେ ଆୟୋଜିତ ଜାତିଭିତ୍ତିକ ଜନଗଣନା ସମ୍ଭବତଃ ପୂରା ଦେଶରେ ରାଜନୀତିକ ଭୂକମ୍ପ ଆଣିପାରେ।
ନିଜର ୨୧ ବର୍ଷର ରାଜନୀତିକ ଯାତ୍ରା ସମ୍ପର୍କରେ ସୂଚନା ଦେଇ ରାହୁଲ କହିଥିଲେ ଯେ ସେ ଅନେକ ପ୍ରସଙ୍ଗକୁ ନ୍ୟାୟ ଦେଇଛନ୍ତି। ଏହା ମଧ୍ୟରେ ଜମି ଅଧିଗ୍ରହଣ ବିଲ, ମନେରଗା, ଖାଦ୍ୟ ବିଲ ଓ ଆଦିବାସୀ ସଂପ୍ରଦାୟଙ୍କ ଅଧିକାରୀ ଆଦି ରହିଛି। ତେବେ ଅନ୍ୟ ପଛୁଆ ବର୍ଗ ବା ଓବିସିଙ୍କ ସ୍ୱାର୍ଥ ରକ୍ଷା କରିବାରେ ସେ ବିଫଳ ହୋଇଥିବା ସମସ୍ତଙ୍କୁ ଜଣାଇଛନ୍ତି।

ଦଳିତ ଓ ଅନୁସୂଚିତ ଜନଜାତିମାନେ ସାମ୍ନା କରୁଥିବା ସମସ୍ୟାକୁ ଯଦିଓ ସେ ସବୁବେଳେ ବୁଝି ପାରୁଥିଲେ କିନ୍ତୁ ଓବିସିମାନେ ସାମ୍ନା କରୁଥିବା କଷ୍ଟକୁ ସେ ଅତୀତରେ ଭଲ ଭାବେ ବୁଝିବାକୁ ସକ୍ଷମ ହୋଇ ନଥିଲେ। ଏହା ତାଙ୍କର ଭୁଲ ଥିଲା ବୋଲି ରାହୁଲ କହିଛନ୍ତି।
ପୂର୍ବରୁ ଜାତି ଭିତ୍ତିକ ଜନଗଣନା ପାଇଁ ପଦକ୍ଷେପ ନ ନେଇ କଂଗ୍ରେସ ଦଳ ନୁହେଁ, ବରଂ ସେ ବ୍ୟକ୍ତିଗତ ଭାବେ ଭୁଲ କରିଥିଲେ ବୋଲି ସମସ୍ତଙ୍କ ଆଗରେ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, "ଯଦି ମୁଁ ଆପଣମାନଙ୍କ ଇତିହାସ ଓ ପ୍ରସଙ୍ଗକୁ ଅଧିକ ଜାଣିବାକୁ ସକ୍ଷମ ହୋଇଥାଆନ୍ତି, ତା'ହେଲେ ମୁଁ ଜାତି ଭତ୍ତିକ ଜନଗଣନା କରିବାକୁ ଚେଷ୍ଟା କରି ଥାନ୍ତି। ଏଥିପାଇଁ ମୁଁ ଅନୁତପ୍ତ। ଏହା ମୋର ଭୁଲ। କଂଗ୍ରେସର ଭୁଲ ନୁହେଁ। ଏବେ ସେହି ଭୁଲକୁ ମୁଁ ଠିକ କରିବି।"
ସମସ୍ତ କଂଗ୍ରେସ ଶାସିତ ରାଜ୍ୟରେ ଜାତି ଭିତ୍ତିକ ଜନଗଣନା କରାଯିବ ଓ ଜନସଂଖ୍ୟାର ଏକ୍ସ ରେ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ରାହୁଲ ଗାନ୍ଧିଙ୍କ କହିବା କଥା ଯେ ତେଲଙ୍ଗାନା ଜାତି ଭିତ୍ତିକ ଜନ ଗଣନା ଗୋଟିଏ ବଡ଼ ପଦକ୍ଷେପ। ଏହାର ପ୍ରଭାବ ପୂରା ଦେଶରେ ପଡ଼ିବ।












Click it and Unblock the Notifications